ପଢ଼ନ୍ତୁ ଆଶିଷ କୁମାର ମିଶ୍ରଙ୍କ କବିତା
ଏବେ କେଉଁ ବନ୍ଧନରୁ ମୁକ୍ତି ପାଇଁ
ଧାଉଁଅଛୁ ଦେବୀ ?
ମାଟିମଞ୍ଚ ଛାଡି
ପାତାଳ-ବିତଳ-ରସାତଳ !
ତୁ ଯେତେଥର ଶୂନ୍ୟରେ ପାଦ ଉଠଉଛୁ
ପ୍ରତି ପାଦଚିହ୍ନ ଉପରେ
ଗଢି ଉଠୁଛି ଗୋଟିଏ ଗୋଟିଏ ମନ୍ଦିର !
ଚୂଡାରେ ଉଡୁଛି ନେତ ଫର୍ଫର ।
ତୋତେ ପ୍ରେମ କରି ଜଣେ କଣ ଅପରାଧୀ ?
ସିଏ ତୋ ବେଢାର ଅନ୍ଧାରକୁ ଘଉଡେଇବାକୁ
ଜାଳିଚି ଲୁହର ଦୀପ ରାତି ରାତି ।
ତୁ ବି ତ ମନପ୍ରାଣ ଦେଇ
ଆରାଧନା କରିଥିଲୁ, ତା’କୁ
ବରିବାକୁ ପ୍ରେମିକ ରୂପରେ ।
ତୁ ତ ଛାତିରୁ କାଢିଦେଇଥିଲୁ ବସନ
ପରଖିବାକୁ ତା’ର ଅକ୍ଷୟ ପୁରୁଷତ୍ବ,
ତୋ ନିଶ୍ବାସକୁ ବୁନ୍ଦା ବୁନ୍ଦା ଝାଳ କରିକରି।
ତୋ ଶାଢୀର ଖିଏ ସୂତା
କେମିତି ଶୋଷିପାରେ ତା’ର ଆୟୂଷ ?
ଦେଖ୍ ପଛକୁ ଫେରି ଦେଖ୍ ଦେବୀ
ତୋ ପିନ୍ଧା କାନୀରୁ
କେମିତି ଥପ୍ ଥପ୍ ଥିପିପଡୁଛି ବୁନ୍ଦା ବୁ୍ନ୍ଦା ରକ୍ତ !
କାଲି କିଏ ଦେଖିଛି ଦେବୀ,
ତୋ ନାଡି ଚିପି ଅଟକେଇଲା ପରେ ରକ୍ତର ସୁଅ
କହିପାରିବୁକି
ତୋର ଆୟୂଷର ଘଡା କେବେ ପୂରିବ?
ଗଛଡାଳେ ଝୁଲୁଥିବା ଯାଏ
ଫଳ ପକ୍ଷୀର,
ବୃନ୍ତଚ୍ୟୁତ ଫଳକୁ ସାଉଁଟି
ଦେଇପାରିବୁ
ଡାଳରେ ବସିଥିବା ପକ୍ଷୀ ମୁଖେ ଆହାର ?
ଏତେ ଦର୍ପ ଯଦି ତୋର
ସମ୍ପର୍କର ମୁଖଶାଳା ଭିତରେ ଥାଇ
ଗଢି ଦେଖା
ପ୍ରେମର ନିର୍ଭେଦ ପ୍ରାଚୀର।
ସମୟକୁ ଜାବୁଡି ଧରିବାର ଧୃଷ୍ଟତା କରି
ସେଇ ଅବାଧ୍ୟ ପ୍ରେମିକକୁ
ଆଲୋକର କାଚଘର କଥା କହନା ଦେବୀ,
ତୁ ଯେଉଁ ଲଗ୍ନରେ
ହୁତ୍ ହୁତ୍ ହୋଇ ଜଳୁଛୁ
ସେଇ ମୁହୁର୍ତ୍ତ ଶ୍ରେଷ୍ଠ ତୋ ପାଇଁ
କିନ୍ତୁ ତା’ ପାଇଁ ଅନ୍ଧାରରେ ବାଟବଣା
ତୋ ଚୁଡିର ଝଙ୍କାରର ବେଳ ।






