ନୟାଗଡ଼,(ବାଘୁଆବାର୍ତ୍ତା): ଉତ୍କଳ ଦିବସଠାରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ଆଜି ଲୋକ ଉତ୍ସବ ଭାବେ ପାଳନ କରାଯାଇଛି । ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟରିଆ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ଟଙ୍କଧର ଭୋଇ, ଓରମାସର ଡେପୁଟି ଏଜ୍କୁକେଟିଭ୍ ପ୍ରବୀଣ କୁମାର ପ୍ରମୂଖ ଯୋଗ ଦେଇଥିଲେ । ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରାୟ ତାଙ୍କ ବକ୍ତବ୍ୟରେ ସ୍ୱଂୟ ସହାୟକ ଗୋଷ୍ଠୀକୁ ଋଣ ପ୍ରଦାନ କରିବା କ୍ଷେତ୍ରରେ ସାରା ଓଡ଼ିଶାରେ ନୟାଗଡ଼ ଆଗୁଆ ରହିଛି । ଗତ ବର୍ଷ ଜିଲ୍ଲାରେ ୨୨୨ କୋଟି ଟଙ୍କା ବିଭିନ୍ନ ଏସଏଚଜି ଗୃପକୁ ପ୍ରଦାନ କରାଯାଇଛି । ସେହିଭଳି ଭାବେ ଜିଲ୍ଲାପାଳ ଡ. ଟୁଡୁ ଜିଲ୍ଲା କରାଯାଉଥିବା ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନା ଦେବା ସହ ସ୍ୱାସ୍ଥ୍ୟ ଭିତ୍ତିଭୂମୀକୁ ସୃଦୃଢ଼ କରାଯିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇଥିଲେ । ନୟାଗଡ଼ ସହର ବିକାଶର ପାଇଁ ବାଇପାସ ନିର୍ମାଣ ମୁଖ୍ୟ ଭୂମିକା ନିର୍ବାହ କରିବ ବୋଲି କହିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇ ୩ ଦିନ ବ୍ୟାପି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀ ଏବଂ ଅଂଶ ଗ୍ରହଣକାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।






