ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ରାସ୍ତା ବଲାଙ୍ଗୀବନ୍ଧଠାରେ ନିର୍ମାଣଧିନ ବଲାଙ୍ଗୀପାର୍କର ନିର୍ମାଣ କାର୍ଯ୍ୟକୁ ଆଜି ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ନୟାଗଡ଼ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ତଦାରଖ କରିଛନ୍ତି । ନୟାଗଡ଼ବାସୀଙ୍କ ପାଇଁ ପ୍ରତିକ୍ଷିତ ବଲାଙ୍ଗୀପାର୍କ ନୟାଗଡ଼ ବିଧାୟକଙ୍କ ଏକ ସ୍ୱପ୍ନ ହୋଇଥିବା ବେଳେ ଏହାକୁ ବିଶ୍ୱସ୍ତରୀୟ ପାର୍କ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ମନ୍ତ୍ରୀ ଶ୍ରୀ ସାହୁ ବିଗତ ଦିନରେ ପ୍ରକାଶ କରିଛନ୍ତି । ନୟାଗଡ଼ ସହର ଉପକଣ୍ଠରେ ନିର୍ମାଣ ହେଉଥିବା ବଲାଙ୍ଗୀ ପାର୍କ ପାଇଁ, ସହର ଉନ୍ନତୀ କରଣ ଯୋଜନାରେ ୩ କୋଟି ପଚାଶ ଲକ୍ଷ ଟଙ୍କା ଅନୁଦାନ ମିଳିଛି । ଏହି ଅର୍ଥରେ ବଲାଙ୍ଗୀ ବନ୍ଧକୁ ଖୋଳା ଯିବା ସହ ବନ୍ଧ ଚାରିପଟର ମରାମତି କାର୍ଯ୍ୟ ଚାଲୁ ରହିଛି । ଜଙ୍ଗଲ ବିଭାଗ ପାର୍କ ଚାରିପଟେ ଥିବା ଜଙ୍ଗଲରେ ଗଛ ଲଗାଇବା ସହ ପହାଡ଼ ଉପରେ ଏକ ୱାଚ ଟାୱାର ଏବଂ ଅନ୍ୟାନ ଉନ୍ନୟନ କାର୍ଯ୍ୟ କରିବା ପାଇଁ ୨ କୋଟି ପଚାଶ ଲକ୍ଷ ଟଙ୍କା ଅନୁଦାନରେ ଏହି ନିର୍ମାଣଧିନ ଅବସ୍ଥାରେ ରହିଛି । ଏତଦ୍ ବ୍ୟତୀତ ଓଟିଡିସି ପକ୍ଷରୁ ୧ କୋଟି ୨୦ ଲକ୍ଷଟଙ୍କା ମଂଜୁର ହୋଇଥିବା ବେଳେ ଏହି ଅର୍ଥରେ ପାଦଚଲା ରସ୍ତା ଏବଂ ଗେଟ ନିର୍ମାଣ କରାଯିବ ଜଣାପଡ଼ିଛି । ଏଠାରେ ଆଗାମୀ ଦିନରେ ରୋପ ୱେ, ୱାଚ ଟାୱାର, ଶିଶୁ ପାର୍କ ଏବଂ ନୟାଗଡ଼ ସଂଗ୍ରାହଳୟ ପାଇଁ ଯୋଜନା ରହିଥିଛି । ଆଜି ପର୍ଯ୍ୟଟନ ମନ୍ତ୍ରୀ ବଲାଙ୍ଗୀ ପାର୍କ ଚାରିପଟେ ବୁଲିବା ସହ ନିର୍ମାଣଧିନ ୱାଚ ଟାୱାରକୁ ଦେଖିଥିଲେ । ଏହା ସହିତ ଏହାର ଆର୍ଥିକ ସମସ୍ୟା ଉପରେ ପଚାରି ବୁଝିଥିଲେ । ଆଜିର ସମୀକ୍ଷା କାର୍ଯ୍ୟକ୍ରମରେ ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି ଏବଂ ବନ କର୍ମଚାରୀ, ପୂର୍ତ୍ତବିଭାଗ ଏବଂ ପୈାର ପରିଷଦର କର୍ମଚାରୀମାନେ ଉପସ୍ଥିତ ଥିଲେ ।





