ଦଶପଲ୍ଲା,(ବାଘୁଆବାର୍ତ୍ତା ବ୍ୟୁରୋ): ଦଶପଲ୍ଲାର ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରା ୨୦୨୦ ବର୍ଷ ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଚଳିତବର୍ଷ ଏହି ଐତିହାସିକ ଯାତ୍ରା ମହୋତ୍ସବ ୨୨୦ ବର୍ଷର ପ୍ରଚୀନ ପରମ୍ପରାକୁ ବଜାୟ ରଖିଛି । ଅଭଙ୍ଗ ପରମ୍ପରାକୁ ନେଇ ଆସନ୍ତା ଏପ୍ରିଲ ମାସ ୨ ତାରିଖ ଦିନ ପବିତ୍ର ଶ୍ରୀରାମ ଜନ୍ମ ଦିନ ଠାରୁ ୧୪ଦିନ ବ୍ୟାପି ପ୍ରାଚୀନ ରାମ ନାଟକର ବିଭିନ୍ନ ପ୍ରସଙ୍ଗ ଶ୍ରୀ ରଘୁନାଥ ଜୀଉ ଓ ଶ୍ରୀ ମହାବୀରଙ୍କ ମନ୍ଦିର ସମ୍ମୁଖ ମଞ୍ଚରେ ଅନୁଷ୍ଠିତ ହେବ । ୧୫୦ଜଣ କଳାକାର ଶ୍ରୀରାମ ଜନ୍ମ ପ୍ରସଙ୍ଗ ଠାରୁ ଆରମ୍ଭ କରି ତାଡକାବଧ, ଧନୁଭଗ୍ନ, ରାମ ବିବାହ, ପର୍ଶୁରାମ ଭେଟ, ଗଣ୍ଡବଧ, ବନବାସ, ଭାରତ ମିଳନ, ବିରାୟୁଧ ବଧ, ସୀତାହରଣ, ରାମ ବିଳାପ, ବାଳିବଧ, ସୀତାଠାବ, ନାଗଫାସ ବନ୍ଧନ, କୁମ୍ଭକର୍ଣ୍ଣବଧ, ଲଙ୍କା ଦହନ, ଶ୍ରୀରାମ ଅଭିଷେକ ପ୍ରଭୃତି ପ୍ରସଙ୍ଗକୁ ଆଧାର କରି ଲୀଳା ଅଭିନୟ ହେବ ଯାତ୍ରାର ମୁଖ୍ୟ ଉତ୍ସବ ଲଙ୍କାପୋଡି ଯାତ୍ରା ଏପ୍ରିଲ ୧୪ ତାରିଖ ଦିନ ହେବ ବୋଲି ଯାତ୍ରା ପରିଚାଳନା କମିଟିର ସମ୍ପାଦକ ସୂର୍ଯ୍ୟମଣୀ ଦାଶ ସୂଚନା ଦେଇଛନ୍ତି । ଯାତ୍ରାର ମୁଖ୍ୟ ଆକର୍ଷଣ ୩୫ଫୁଟ ଉଚ୍ଚର କାଷ୍ଠ ନିର୍ମିତ ରାମଣ ଓ ପୁଷ୍ପକ ଯାନ ରାଜଦାଣ୍ଡରେ ସୁସଜ୍ଜିତ କରାଯାଇ ପ୍ରଦର୍ଶନ ହେବ । ଏହି ଯାତ୍ରାର ମୁଖ୍ୟ ମଞ୍ଚ ସମେତ ୨କି.ମି ବ୍ୟାପି ମୁକ୍ତ ରଙ୍ଗମଞ୍ଚରେ କେତେକ ପ୍ରସଙ୍ଗ ଅଭିନିତ ହେବ । ଯାତ୍ରା ସୂଚୀ ପ୍ରକାଶ ପାଇବା ପରେ ଶ୍ରୀ ଶ୍ରୀ ରଘୁନାଥ ଜୀଉ ଯାତ୍ରା ପରିଚାଳନା କମିଟିର କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି । ଏହି ଯାତ୍ରା ଦଶପଲ୍ଲା ପ୍ରାଚୀନ ଗଡଜାତ ରାଜ୍ୟରେ ୧୮୦୨ ମସିହା ଠାରୁ ଆରମ୍ଭ ହୋଇ ବର୍ତ୍ତମାନ ପର୍ଯ୍ୟନ୍ତ ଚାଲୁ ରହିଛି ।





