ନୟାଗଡ଼,(ବାଘୁଆବାର୍ତ୍ତା ବ୍ୟୁରୋ): ଦଶପଲ୍ଲା ବନବିଭାଗ ପକ୍ଷରୁ ଗତକାଲି ରାତିରେ ଚଢାଉ କରାଯାଇ ଶାଳ ସାଇଜ୍ ସମେତ ଶାଳ ଲଗ୍ ଏବଂ ଗୋଟିଏ ଅଟୋ ଜବତ କରାଯାଇଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ବନପାଳ ମନୋଜ ପ୍ରଭାକର ସାହୁଙ୍କ ସମେତ ବନରକ୍ଷୀ ନାରାୟଣ ମହାପାତ୍ର, ସନ୍ତୋଷ କୁମାର ଦୋରା ଏବଂ ସ୍କ୍ୱାର୍ଡ ମିଳିତ ଭାବେ ପାଟ୍ରୋଲିଂ କରୁଥିବା ସମୟରେ ପ୍ରଥମେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ନେଳିଗୁଡା ଗ୍ରାମ ନିକଟରୁ ଏକ ଅଟୋ ଯୋଗେ ୧୦ଟି ଶାଳ ସାଇଜ୍ ଚାଲାଣ ବେଳେ ଏହାକୁ ଜବତ କରି ଜଣଙ୍କୁ ଗିରଫ କରିଥିଲେ । ଗିରଫ ବ୍ୟକ୍ତି ଜଣକ ସ୍ଥାନୀୟ ନାହାକପଡା ଗ୍ରାମର ସୁଦାମ ବେହେରା(୩୫) । ଜବତ ସାଇଜ୍ ୫ ଘନଫୁଟ ହୋଇଥିବା ବେଳେ ଜବତ ଅଟୋ ଓ ସାଇଜ୍ର ମୂଲ୍ୟ ୭୦ ହଜାର ଟଙ୍କାରୁ ଉଦ୍ଧ୍ୱର୍ ହେବ ବୋଲି କୁହାଯାଇଛି । ସେହିପରି ରାତି ପ୍ରାୟ ସାଢେ ୨ଟାରେ ସାକେଣୀ ସେକ୍ସନର ମଶାବାରୀ ଗ୍ରାମ ନିକଟସ୍ଥ ନଦୀ ଠାରୁ ୫ଟି ଶାଳ ଲଗ୍ ଜବତ କରିବା ସହ ଜଣକୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି । ଗିରଫ ବ୍ୟକ୍ତି ଜଣଙ୍କ କୁସୁମ ଗାଡିଆ ଗ୍ରାମର ବିନୋଦ ନାୟକ(୫୦) । ଜବତ କାଠ ୨୧ ଘନଫୁଟ ହୋଇଥିବା ବେଳେ ଏହାର ମୂଲ୍ୟ ୩୦ ହଜାର ଟଙ୍କାରୁ ଉଦ୍ଧ୍ୱର୍ ହେବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି ।






