ଭୁବନେଶ୍ୱର (ବାଘୁଆବାର୍ତ୍ତା): ଓଡ଼ିଶା ଉପରେ ଗୁରୁଚାପ ବଳୟର ପ୍ରଭାବ ଅଧିକ ରହିବ। ଏହା ବାୟୁମଣ୍ଡଳର ସ୍ଥିରତାକୁ ବୃଦ୍ଧି କରିବାରେ ସହାୟକ ହେବ। ବାୟୁମଣ୍ଡଳର ସ୍ଥିରତା ଓ ଅଧିକ ଜଳୀୟବାଷ୍ପର ଉପସ୍ଥିତି ତଥା ନିର୍ମଳ ଆକାଶ ଯୋଗୁଁ ରାଜ୍ୟରେ ଘନ କୁହୁଡ଼ି ପଡ଼ିବ। ଆଜି କୋରାପୁଟ, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ ଓ ସୋନପୁର ଜିଲ୍ଲାରେ ଘନ କୁହୁଡ଼ିର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହି ୮ ଜିଲ୍ଲା ପାଇଁ କେନ୍ଦ୍ର ୟେଲୋୱାର୍ଣ୍ଣିଂ ଜାରି କରିଛି।
ସେହିପରି ୧୮ ଓ ୧୯ତାରିଖ ସକାଳୁ ମଧ୍ୟ ରାଜ୍ୟର ଅନେକ ଜିଲ୍ଲାରେ ଘନ କୁହୁଡ଼ିର ସମ୍ଭାବନା ରହିଛି। ୧୮ ତାରିଖ ଦିନ ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼, କଟକ, ଅନୁଗୁଳ ଓ ଢେଙ୍କାନାଳ ଏବଂ ୧୯ ତାରିଖ ଦିନ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ନୟାଗଡ଼, କଟକ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ କେନ୍ଦୁଝର ଆଦି ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବ। ଏଣୁ ଏହି ଦୁଇ ଦିନ ପାଇଁ ଏ ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।






