ଭୁବନେଶ୍ବର, (ବାଘୁଆବାର୍ତ୍ତା): ଦେଶରେ ସଂକ୍ରମଣ ହାର ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବାରମ୍ବାର ଏ ନେଇ ଚେତାବନୀ ଦିଆଯାଉଛି । ଓଡିଶାରେ ମଧ୍ୟ ସ୍ଥିତି ଭୟାବହ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟବାସୀ ତୃତୀୟ ଲହର ନେଇ ଟିପ୍ସ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ସଂକ୍ରମଣ ବ୍ୟାପକ ଭାବେ ବୃଦ୍ଧି ପାଉଥିବାରୁ ସତର୍କ ସୂଚନା ଜାରି କରିଛନ୍ତି ଡାକ୍ତର ପ୍ରଫେସର ଜୟନ୍ତ ପଣ୍ଡା । ଡାକ୍ତର ପଣ୍ଡା କହିଛନ୍ତି, ‘ପ୍ରତ୍ୟେକ ମହାମାରୀର ଲହର ପରେ ଲହର ଆସେ । ଡେଲ୍ଟା ଭ୍ୟାରିଆଣ୍ଟ ପରେ ଏବେ ଓମିକ୍ରନ୍ ରୂପରେ ତୃତୀୟ ଲହର ଜାରି ରହିଛି । ଆଲ୍ଫା, ବିଟା, ଗାମା, କାପା, ଡେଲ୍ଟା ପରେ ଦକ୍ଷିଣ ଆଫ୍ରିକାରୁ ଓମିକ୍ରନ୍ ପ୍ରଜାତିର ଭ୍ୟାରିଆଣ୍ଟ ସୃଷ୍ଟି ହୋଇଥିଲା । ଅନେକ ଅନେକ ଦେଶରେ ଚତୁର୍ଥ ଏବଂ ୫ମ ଲହର ହୋଇସାରିଥିଲେ ସୁଦ୍ଧା ଭାରତରେ ତାହା ତୃତୀୟ ଲହରରେ ହିଁ ରହିଛି । ଦ୍ବିତୀୟ ଲହର ଠାରୁ ତୃତୀୟ ଲହର ସଂକ୍ରମଣ କ୍ଷମତା ୬/୭ ପ୍ରତିଶତ ଅଧିକ ରହୁଥିବାରୁ ତାହା ବିପଜ୍ଜନକ ରହୁଛି । ଗୋଟିଏ ଘରେ ଜଣେ ଆକ୍ରାନ୍ତ ଅନେକ ଜଣଙ୍କୁ ସଂକ୍ରମିତ କରୁଛନ୍ତି । ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି, ‘ ତୃତୀୟ ଲହରରେ ଅନେକ ଲୋକଙ୍କ ଶରୀରରେ ଲକ୍ଷଣ କମ ରହୁଛି । ଗଳା ବଥାରୁ ଲକ୍ଷଣ ଆରମ୍ଭ ହେଉଛି । ଢୋକିବା ବେଳେ କଷ୍ଟ ହେବା, ନାକ ବନ୍ଦ ହୋଇଯିବା, ପେଟ କାଟିବା, ପତଳା ଝାଡା ହେବା ଆଦି ଏହି ଲହରର ପ୍ରମୁଖ ଲକ୍ଷଣ । ପୂର୍ବ ଲହରରେ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିବା କିମ୍ବା ସ୍ବାଦ ହରାଇବା ଘ୍ରାଣ ଶକ୍ତି ହରାଇବା ଭଳି ଲକ୍ଷଣ ଦେଖାଯାଉଥିଲା । କିନ୍ତୁ ତୃତୀୟ ଲହରରେ ତାହା ଦେଖିବାକୁ ମିଳୁନାହିଁ । ଭୂତାଣୁ ମ୍ୟୁଟାଣ୍ଟ ହେଲେ ତାର ସଂକ୍ରମଣ କ୍ଷମତା ବୃଦ୍ଧି ପାଇଥାଏ । ଯାହାଫଳରେ ତୃତୀୟ ଲହରରେ ସଂକ୍ରମଣ କ୍ଷମତା ପ୍ରାୟ ୬ ରୁ ୭ ଗୁଣ ବୃଦ୍ଧି ପାଉଛି ।’






