ନୟାଗଡ଼, (ବାଘୁଆବାର୍ତ୍ଥା) : ନୟାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୟାଗଡ଼ ବ୍ଲକର ବଡ଼ପଣ୍ଡୁସର ଗ୍ରାମ ପଂଚାୟତର ସୁନାଲଟିଠାରେ ବହୁ ପ୍ରତିକ୍ଷୀତ କୁସୁମୀ ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ ଓ ପ୍ରାଣୀ ସଂପଦ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ଖଣ୍ଡପଡ଼ା ବିଧାୟକ ସୈାମ୍ୟରଂଜନ ପଟ୍ଟନାୟକ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଆରଡିସି ଅନୀଲ କୁମାର ସାମଲ, ଜିଲ୍ଲାପାଳ ଡ. ପୋମା ଟୁଡୁ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ଆରକ୍ଷୀ ଅଧିକ୍ଷକ ଶଶୀଭୂଷଣ ଶତପଥୀଙ୍କ ସମେତ ଜଳସଂପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ଯଶୋବନ୍ତ ପରିଡ଼ା, ଅଧିକ୍ଷଣ ଯନ୍ତ୍ରୀ ଚିନ୍ମୟ ରଂଜନ ରାଉତ ଏବଂ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଅମରେନ୍ଦ୍ର ମହାପାତ୍ର ପ୍ରମୂଖ ଯୋଗ ଦେଇଥିଲେ । ବନ୍ଧ ନିର୍ମାଣ ସ୍ଥାନରେ ଅତିଥିମାନେ ନଡ଼ିଆ ଭାଙ୍ଗି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ଅବସରରେ କୁସୁମୀ ଦ୍ୱାରା ଉଭୟ ନୟାଗଡ଼ ଓ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର କିଛି ଅଂଶ ଜଳସେଚିତ ହୋଇପାରିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଗୋଲାପ ଦଳବେହେରା, ଜିଲ୍ଲାପରିଷଦ ସଭ୍ୟ ଅରୁଣା ନାୟକ, ଇଟାମାଟି ସରପଂଚ ସୋନାଲିକା ମନ୍ଥନ, ସମିତି ସଭ୍ୟ ବବିତା ସ୍ୱାଇଁ ଏବଂ ସ୍ଥାନୀୟ ଅଂଚଳର ବହୁ ସରପଂଚ ସମିତିସଭ୍ୟଙ୍କ ସମେତ ପାଂଚ ହଜାରରୁ ଉର୍ଦ୍ଧ ମହିଳା ଓ ପୁରୁଷ ସାମିଲ ହୋଇଥିଲେ ।





