ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଦ୍ୱିତୀୟ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡକୁ ୫୪୦ ରନ୍ର ବିଜୟ ଲକ୍ଷ୍ୟ ଦେଇଛି ଭାରତ। ଆଜି ମ୍ୟାଚ୍ର ତୃତୀୟ ଦିନରେ ୭ଟି ୱିକେଟ୍ ହରାଇବା ପରେ ଘରୋଇ ଦଳ ପାଳି ଘୋଷଣା କରିଛି। ପାଳି ଘୋଷଣା କରିବା ବେଳକୁ ଦଳ ୨୭୬ ରନ୍ ସଂଗ୍ରହ କରିଥିଲା। ଏବେ ନ୍ୟୁଜିଲ୍ୟାଣ୍ଡ ବ୍ୟାଟିଂ କରୁଛି। ଗତକାଲି ନ୍ୟୁଜିଲ୍ୟାଣ୍ଡକୁ ପ୍ରଥମ ଇନିଂସ୍ରେ ୬୨ ରନ୍ରେ ଅଲ୍ ଆଉଟ୍ କରିବା ପରେ ଫୋଲଅନ୍ ନଦେଇ ଭାରତୀୟ ଦଳ ତା’ର ଦ୍ୱିତୀୟ ଇନିଂସ୍ ଖେଳିଥିଲା। ମୟଙ୍କ ଅଗ୍ରୱାଲଙ୍କ ସହିତ ଚେତେଶ୍ୱର ପୂଜାରା ଦ୍ୱିତୀୟ ଇନିଂସରେ ଓପନ୍ କରିବାକୁ ଆସିଥିଲେ। ଉଭୟେ ଗତକାଲି ଷ୍ଟମ୍ପ ଅପସାରଣ ସୁଦ୍ଧା ଯଥାକ୍ରମେ ଯଥାକ୍ରମେ ୩୮ ଓ ୨୯ ରନ୍ କରି ଅପରାଜିତ ରହିଥିଲେ। ଆଜି ୬୯ରୁ ପୁଣି ଦୁହେଁ ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ପ୍ରଥମ ଇନିଂସରେ ଶତକ ମାରିଥିବା ମୟଙ୍କ ଅଗ୍ରୱାଲ ଦ୍ୱିତୀୟ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୬୨ ରନ୍ (୧୦୮ ବଲ୍, ୯ ଚୌକା ଓ ୧ ଛକା) କରି ଆଉଟ୍ ହୋଇଥିଲେ। ସେ ଏଜାଜ ପଟେଲଙ୍କ ବଲ୍ରେ ୱିଲ ୟଙ୍ଗଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ତେବେ ପ୍ରଥମ ଇନିଂସରେ ଶୂନରେ ଆଉଟ୍ ହୋଇଥିବା ଚେତେଶ୍ୱର ପୂଜାରା ଅର୍ଦ୍ଧଶତକ ଠାରୁ ୩ ରନ୍ ପଛରେ ରହିଯାଇଥିଲେ। ସେ ୯୭ଟି ବଲ୍ରୁ ୬ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୪୭ ରନ୍ କରିଥିବା ବେଳେ ଏଜାଜ ପଟେଲ୍ଙ୍କ ବଲ୍ରେ ରସ୍ ଟେଲରଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଶୁବମନ ଗିଲ୍ ୪୭ ରନ୍ (୭୫ ବଲ୍, ୪ ଚୌକା, ୧ ଛକା) କରି ରାଚିନ ଚବୀନ୍ଦ୍ରଙ୍କ ବଲ୍ରେ ଟମ୍ ଲାଥମଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ଅଧିନାୟକ ବିରାଟ କୋହଲି ପ୍ରଥମ ଇନିଂସ୍ରେ ଖାତା ଖୋଲି ପାରି ନଥିବା ବେଳେ ଆଜି ୩୬ ରନ୍ କରିଥିଲେ। ସେ ୮୪ଟି ବଲ୍ରୁ ଗୋଟିଏ ଚୌକା ଓ ଗୋଟିଏ ଛକା ସହାୟତାରେ ଏହି ରନ୍ ସଂଗ୍ରହ କରିଥିବା ବେଳେ ରାଚିନ ରବୀନ୍ଦ୍ରଙ୍କ ଦ୍ୱାରା କ୍ଲିନ୍ ବୋଲ୍ଡ ହୋଇଥିଲେ।






