ଚାଷୀ ସ୍ୱପ୍ନ ହେବ ପୂରଣ
ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୟାଗଡ଼ ବ୍ଲକର ବଡ଼ ପଣ୍ଡୁସର ଗ୍ରାମ ପଂଚାୟତର ସୁନାଲଟିଠାରେ ଆସନ୍ତା ୩୦ ତାରିଖରେ ବହୁ ପ୍ରତିକ୍ଷୀତ କୁସୁମୀ ବ୍ୟାରେଜ୍ ପ୍ରକଳ୍ପର ଶୁଭ ଦିଆଯିବ ବୋଲି ବିଭାଗୀୟ ସୃତ୍ରରୁ ଜଣାପଡ଼ିଛି । ଏହି ପ୍ରକଳ୍ପଟିରେ ମୋଟ୧୮୨ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ବ୍ୟାରେଜ୍ ପାଇଁ ୬୭ କୋଟି ଖର୍ଚ୍ଚ ହେବ । ପ୍ରକଳ୍ପ ଦ୍ୱାରା ନୟାଗଡ଼ ବ୍ଲକ, ଖଣ୍ଡପଡ଼ା ଏବଂ ଭାପୁର ବ୍ଲକର ଚାଷୀମାନେ ଉପକୃତ ହେବେ । ହଜାର ହଜାର ଚାଷୀଙ୍କ ଜମିକୁ ପାଣିର ସୁବିଧା ପାଇ ପାରିବେ । କେନାଲ ଓ ପରି କେନାଲ ସାହାର୍ଯ୍ୟରେ କ୍ଷେତକୁ ଜଳଯୋଗାଣ ବ୍ୟାବସ୍ଥା କରାଯିବ ବୋଲି ଜଣାପଡ଼ିଛି । ଆସନ୍ତା ୩୦ ତାରିଖ ୧୧ ଘଟିକା ସମୟରେ ସୁନାଲଟିଠାରେ ରାଜ୍ୟ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ ଓ ପ୍ରାଣୀ ସଂପଦ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏହି ପ୍ରକଳ୍ପର ଶୁଭ ଦେବେ । ଜିଲ୍ଲାର ଚାରି ବିଧାୟକ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, ମୁଖ୍ୟ ଯନ୍ତ୍ରୀ, ଅଧିକ୍ଷଣ ଯନ୍ତ୍ରୀ ଏବଂ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ପ୍ରମୂଖ ଯୋଗ ଦେବେ । ପ୍ରକାଶ ଥାଉ କି, ଜିଲ୍ଲାରେ ଦୁଇଗୋଟି ଜଳସଂପଦ ବିଭାଗ ଦ୍ୱାରା ଦୁଇଗୋଟି ଜଳସେଚନ ପ୍ରକଳ୍ପ କାର୍ଯ୍ୟକରୁଛି । ସେଥିମଧ୍ୟରେ ରହିଛି କୁଆଁରିଆ ଏବଂ ବୁଢ଼ାବୁଢ଼ିଆଣୀ ପ୍ରକଳ୍ପ । ଏହି କୁସୁମୀ ବ୍ୟାରେଜ ଜିଲ୍ଲାପାଇଁ ଜଳସେଚନ ବିଭାଗର ଏକ ଭିନ୍ନ ପଦକ୍ଷେପ ଯାହା ଦ୍ୱାରା ଅନେକ ଚାଷୀ ଉପକୃତ ହେବେ ବୋଲି ଆଶା କରାଯାଉଛି ।





