ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଦେଶରେ କରୋନା ଲହର ଥମିଥିବା ବେଳେ ଡରାଇଲାଣି ଓମିକ୍ରୋନ ଡର। ଯଦିଓ ଭାରତରେ ଓମିକ୍ରୋନ ଭ୍ୟାରିଏଣ୍ଟ ଚିହ୍ନଟ ହୋଇ ନାହିଁ ତେବେ କେନ୍ଦ୍ର ସରକାର ଏନେଇ ଆଗୁଆ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ନିକଟରେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଲେଖାଯାଛି। କେନ୍ଦ୍ରର ସତର୍କତା ପରେ ରାଜ୍ୟରେ ସତର୍କବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କରୋନା ସତର୍କତା ସହିତ ନିୟମ ପାଳନ ଦିଗରେ ଜିଲ୍ଲାପାଳମାନେ ଧ୍ୟାନ ଦିଅନ୍ତୁ । ନୂଆ ଭ୍ୟାରିଏଣ୍ଟକୁ ସମସ୍ତେ ଗୁରୁତର ସହ ନେବା ସହିତ ଏହାର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ଆଗୁଆ ପ୍ରସ୍ତୁତ ରହୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଦେଶ ଓ ରାଜ୍ୟରେ କୋଭିଡ୍ ସଂକ୍ରମଣ କମିଥିବାରୁ ଲୋକେ ବି କରୋନା କଟକଣା ପାଳନ କରିବାରେ ଅବହେଳା କରୁଥିବାରୁ ଦେଖାଯାଉଛି। ଛକ ବଜାର ଭିଡ଼ ଲାଗିବା ସହିତ ଲୋକେ ମାସ୍କ ପିନ୍ଧୁ ନଥିବାରୁ ମଧ୍ୟ ନଜରକୁ ଆସୁଛି। ତେଣୁ ନୂଆ ଭ୍ୟରିଏଣ୍ଟକୁ ନଜରରେ ରଖି କରୋନା ନିୟମ ପାଳନ କରିବା ସହିତ ମାସ୍କ ପିନ୍ଧିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।






