ସମସ୍ୟା ସହ ୧୫୬ଅଭିଯୋଗ ଉପରେ ବିଚାର
ନୟାଗଡ଼, (ବାଘୁଆବାର୍ତ୍ତା) : ଦଶପଲ୍ଲା ବ୍ଲକରେ ନୟାଗଡ଼ ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଭା ଗୃହରେ ଆୟୋଜିତ ଏହି ଶୁଣାଣି କାର୍ଯ୍ୟକ୍ରମରେ ଡ. ପୋମା ଟୁଡୁଙ୍କ ସହ ଉପ ଜିଲ୍ଲାପାଳ ଲଗ୍ନଜିତ ରାଉତ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ଆରକ୍ଷୀ ଅଧିକ୍ଷକ ଶଶୀଭୂଷଣ ଶତପଥୀ, ମୁଖ୍ୟ ଚିକତ୍ସାଧିକାରୀ ଡା. ଶ୍ୱେତ ମହାପାତ୍ର ଉପସ୍ଥିତ ରହି ଲୋକମାନଙ୍କର ବିଭିନ୍ନ ଅଭିଯୋଗ ଶୁଣିବା ସହ ତାହାକୁ ତୁରନ୍ତ ସମାଧାନ କରିବାକୁ ପ୍ରୟାସ କରିଥିଲେ । ଆଜିର ଅଭିଯୋଗ ଶୁଣାନି ଶିବିରରେ ୧୬ଟି ଗ୍ରାମ ସମସ୍ୟା ଓ ୧୩୮ଟି ବ୍ୟକ୍ତିଗତ ସମସ୍ୟାକୁ ମିଶାଇ ମୋଟ ୧୫୬ଟି ଅଭିଯୋଗକୁ ଜିଲ୍ଲାପାଳ ଶୁଣାଣି କରିଥିବା ଜଣାପଡ଼ିଛି । ଅଭିଯୋଗ ଗୁଡ଼ିକ ମଧ୍ୟରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ୍ ଯୋଜନାରେ ୨ଟି ଅଭିଯୋଗର ଶୁଣାଣୀ କରି ମୋଟ ୩୨ହଜାର ଟଙ୍କା ପ୍ରଦାନ କରାଯାଇଛି । ଆସିଥିବା ଅଭିଯୋଗ ଗୁଡ଼ିକ ମଧ୍ୟରୁ ୪୮ଟି ଅଭିଯୋଗର ତତ୍କ୍ଷଣତ ସମାଧାନ କରିଛନ୍ତି ଜିଲ୍ଲାପାଳ । ଏହି ଶୁଣାଣି କାର୍ଯ୍ୟକ୍ରମରେ ଦଶପଲ୍ଲା ବିଡିଓଙ୍କ ସମେତ ବ୍ଲକ କର୍ମଚାରୀମାନେ ଉପସ୍ଥିତ ରହିଥିଲେ । ବିଶେଷ କରି ଅଭିଯୋଗ ଶୁଣାଣି ଶିବିରକୁ ଉପାନ୍ତ ଅଂଚଳରୁ ଅଧିକ ଅଭିଯୋଗ ଆସୁଥିବା ଜଣାପଡ଼ିଛି ।





