ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସହରରେ ମାତିଲେଣି ଚୋର । କେତେ ବେଳେ ମୋବାଇଲ ଚୋରୀ କରୁଥିବା ବେଳେ ଆଉ କେତେ ବେଳେ ମନ୍ଦିର ହୁଣ୍ଡି ଉପରେ ନଜର ପକାଉଛନ୍ତି ଚୋର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ନିକଟରେ ଥିବା ନାରାୟଣୀ ମନ୍ଦିରରେ । ସୂଚନାନୁସାରେ, ନୟାଗଡ଼ ଟାଉନ ଥାନା ଅନ୍ତର୍ଗତ ସ୍ୱୟଂଶାସିତ ମହାବିଦ୍ୟାଳୟ ନିକଟରେ ଥିବା ନାରାୟଣୀ ମନ୍ଦିରରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୁତ୍ତ ମାନେ ମନ୍ଦିରର ଗେଟ୍ ତାଲା ଭାଙ୍ଗି ମନ୍ଦିର ଭିତରେ ଥିବା ଦୁଇଟି ଦାନବାକ୍ସ ତଥା ହୁଣ୍ଡି ଭାଙ୍ଗି ଦେଇଥିବା ଜଣାପଡିଛି । ହୁଣ୍ଡିରେ ଥିବା ଦାତାମାନଙ୍କର ଅର୍ଥ ଲୁଟି ନେଇଛନ୍ତି ଚୋର । ଆଜି ସକାଳୁ ମନ୍ଦିରର ପୁଜାରୀ ମନ୍ଦିର ଖୋଲିବାକୁ ଆସିଲା ବେଳକୁ ମନ୍ଦିରର ଗେଟ୍ ତାଲା ଭଙ୍ଗା ଯାଇଥିବା ବେଳେ ମନ୍ଦିର ଗର୍ଭରେ ଥିବା ଦାନ ବାକ୍ସ ଗୋଟିଏ ମନ୍ଦିର ବାରଣ୍ଡାରେ ପଡିଥିଲା ବେଳେ ଆଉ ଗୋଟିଏ ଦାନବାକ୍ସର ତାଲା ଭଙ୍ଗା ପଡିଥିଲା । ଏନେଇ ମନ୍ଦିରର ପୂଜାରି ଯାଇ ମନ୍ଦିର କମିଟି ସଭାପତି ତ୍ରିପାଠୀ ଓ ସଂପାଦକ କୃଷ୍ଣଚନ୍ଦ୍ର ପ୍ରଧାନଙ୍କୁ ଜଣାଇଥିଲେ । ମନ୍ଦିର କମିଟି ଏନେଇ ଟାଉନ ଥାନାକୁ ଯାଇ ଅଭିଯୋଗ କରିଥିବା ଜଣାପଡିଛି । ଗତକାଲି ଅମରେନ୍ଦ୍ର ମାର୍କେଟରୁ ଜଣେ ବ୍ୟବସାୟୀଙ୍କ ଦୋକାନରୁ ମୋବାଇଲ ଚୋରୀ କରିନେଇଥିଲେ । ପରେ ଉକ୍ତ ଚୋର ଧରାପଡିବା ଡରେ ନିର୍ଧୁମ ମାଡ ଖାଇଥିଲେ । ହେଲେ ଥାନାରେ ଅଭିଯୋଗ ହୋଇନଥିଲା । ପୁଲିସ୍ ରାତିରେ ପାଟ୍ରୋଲିଂ କରୁଥିବା ବେଳେ ସହରର ଛାତି ଉପରୁ ଚୋରୀ ହେବା ପୁଲିସ୍ ପାଟ୍ରୋଲିଂ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।





