ନୟାଗଡ଼, (ବାଘୁଆବାର୍ତ୍ତା): ମୋବାଇଲ ଚୋରୀ କରିଥିବା ନେଇ ଜଣେ ବୟସ୍କ ବ୍ୟକ୍ତିଙ୍କୁ ମାଡ ମରାଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଯାଇଛି ନୟାଗଡ଼ ଅମରେନ୍ଦ୍ର ମାର୍କେଟରେ । ସୂଚନାନୁସାରେ, ନୟାଗଡ଼ ଟାଉନ ଥାନା ଅନ୍ତର୍ଗତ ଅମରେନ୍ଦ୍ର ମାର୍କେଟ ଜଣେ ବ୍ୟବସାୟୀ ଦୋକାନ ଖୋଲି ମୋବାଇଲ ଥୋଇଥିଲେ । ଉକ୍ତ ବ୍ୟବସାୟୀ ଜଣଙ୍କ କୌଣସି କାମରେ ବ୍ୟସ୍ତ ଥିବା ବେଳେ ତାଙ୍କ ମୋବାଇଲ ଚୋରି ହୋଇଥିଲା । ତେବେ ଚୋରୀ କରିଥିବା ଲୋକକୁ ଖୋଜି ଖୋଜି କାବୁ କରିଥିଲେ ବ୍ୟବସାୟୀ । ଦୋକାନ ପାଖକୁ ଆଣି ମୋବାଇଲ୍ ଚୋରୀ କରିଥିବା ବୟସ୍କ ଚୋରକୁ ମାଡ଼ ମାରିଥିଲେ । ଉକ୍ତ ବୟସ୍କ ଲୋକ ଜଣଙ୍କ ମୋବାଇଲ୍ ଚୋରୀ କରି ନେଇ ସିନ୍ଦୂରିଆ ଅଞ୍ଚଳରେ ୩ଶହ ଟଙ୍କା ବିକ୍ରି କରିଥିବା ନେଇ ସ୍ୱୀକାର କରିଥିଲା । ତେବେ ପରେ ଉକ୍ତ ବ୍ୟବସାୟୀ ଜଣଙ୍କ ବୟସ୍କ ମୋବାଇଲ ଚୋରକୁ ନେଇ ସିନ୍ଦୂରିଆ ଅଞ୍ଚଳକୁ ଯାଇଥିଲା । ମୋବାଇଲ ଚୋରକୁ ପୁଲିସ୍ ଜିମା ନଦେଇ ବ୍ୟବସାୟୀ ଜଣଙ୍କ ଆଇନକୁ ହାତ ମୁଠାକୁ ନେଇଥିବା ଜଣାପଡିଛି । ଏନେଇ ଟାଉନ ଥାନା ଅଧିକାରୀଙ୍କୁ ପଚାରିବାରୁ, ଥାନାକୁ ସେହିଭଳି କିଛି ଅଭିଯୋଗ ଆସିନାହିଁ ବୋଲି କହିଛନ୍ତି ଥାନା ଅଧିକାରୀ ପ୍ରଜ୍ଞାପରିମିତା ଜେନା ।





