ଗଣିଆ (ବାଘୁଆବାର୍ତ୍ତା) : ଗଣିଆ ବ୍ଲକ ଆଦିମ ଅଧିବାସୀ ମୁକ୍ତିମଞ୍ଚ ବଡ଼ସିଲିଙ୍ଗା ଓ ଗ୍ରାମୀଣ ଶ୍ରମଜୀବୀ ଚେତନା ସଂଗଠନ ଛାମୁଣ୍ଡିଆ ତରଫରୁ ଏକ ଶୋଭାଯାତ୍ରା ଓ ଦାବୀପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାମହିମ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ବିଚାରପତିଙ୍କ ଉଦ୍ଦେଶ୍ୟରେ ଏହି ଦାବିପତ୍ର ତହସିଲଦାରଙ୍କୁ ଦିଆଯାଇଛି । ଏହି ଅବସରରେ ଗଣିଆ ଡାକବଙ୍ଗଳାଠାରୁ ଏକ ଶୋଭାଯାତ୍ରା ଆରମ୍ଭ ହୋଇ ଗଣିଆ ବଜାର ପରିକ୍ରମା କରିବା ସହିତ ତହସିଲ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା । ସଂଗଠନର ସଭାପତି ଉଲ୍ଲାସ ମାଝି, ସମ୍ପାଦକ ବିପ୍ରଚରଣ ମଳିକଙ୍କ ସମେତ ମଂଚର ପ୍ରାୟ ୫୦ରୁ ଅଧିକ ସଭ୍ୟ ତହସିଲଦାର ମିତାଲି ପାତ୍ରଙ୍କୁ ଏହି ଦାବିପତ୍ର ପ୍ରଦାନ କରିଥିଲେ । ଆଦିବାସୀମଞ୍ଚର ଏହି ଦାବୀକୁ ସମର୍ଥନ ଜଣାଇ ବ୍ଲକ ଅଧ୍ୟକ୍ଷ ଶେଷଦେବ ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ୟ ମହେଶ୍ୱର ମହାରଣା, ସରପଞ୍ଚ ସଂଘର ସଭାପତି ପ୍ରଫୁଲ କୁମାର ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ୨୦୦୬ର ପ୍ରାବଧାନ ଅନୁଯାୟୀ ବିକାଶମୂଳକ କାର୍ଯ୍ୟ ଯଥା- ଗମନାଗମନ, ରାସ୍ତାଘାଟ, ଟେଲିସେବା, ପାନୀୟଜଳ, ବିଦ୍ୟୁତ୍ ଯୋଗାଣ ଆଦି ମୈାଳିକ ବ୍ୟବସ୍ଥା କରିବାକୁ ସେମାନେ ଏଥିରେ ଉଲ୍ଲେଖ କରିଛନ୍ତି ।





