ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍ ଅନ୍ତର୍ଗତ ଜାମୁସାହି -ଭାପୁର ରାସ୍ତାରେ ଘଟିଥିବା ଦୁର୍ଘଟଣା ରେ ଜାମୁସାହି ଗ୍ରାମର ୮ ବର୍ଷର ବାଳକ କାହ୍ନା ଗୁରୁତର ଭାବେ ଆହତ ହୋଇଥିଲା। ତାର ବାମ ଗୋଡ଼ ଓ ହାତ ସମୂର୍ଣ୍ଣ କ୍ଷତ ଓ ବାମଗୋଡଟି କଟା ଯାଇଛି। ବର୍ତ୍ତମାନ ସେ ଭୁବନେଶ୍ୱର ଆମ୍ରୀ ହସ୍ପିଟାଲରେ ଚିକିତ୍ସିତ । ଡାକ୍ତରଙ୍କ କହିବା ଅନୁସାରେ କାହ୍ନାର ଚିକିତ୍ସା ପାଇଁ ପାଖାପାଖି ଆଠ ଲକ୍ଷ ଟଙ୍କା ଦରକାର ଥିବା ବେଳେ, ଦୁର୍ଘଟଣା କରିଥିବା ଗାଡ଼ି ମାଲିକ ମାତ୍ର ଏକଲକ୍ଷ ଟଙ୍କା ଦେଇଥିଲେ। ତାର ବାପା ଶ୍ରୀ ପ୍ରମୋଦ ମହାନ୍ତି(୫୨) ଜଣେ ଦିନ ମଜୁରିଆ ହେଇଥିବା ବେଳେ ସେ ଘର ଘର ବୁଲି ପୁଅର ଚିକିତ୍ସା ପାଇଁ ଟଙ୍କା ଭିକ୍ଷା କରିଛନ୍ତି। କାହ୍ନାକୁ ସହଯୋଗ କରିବା ପାଇଁ ଆଗେଇ ଆସିଥିଲେ ଭାପୁର ବ୍ଲକ ବଡ଼ସହରା ଗ୍ରାମର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଆଦର୍ଶବାଦୀ ୟଙ୍ଗଷ୍ଟାର କ୍ଲବ୍। ଆରମ୍ଭ ହେଇଥିଲା କାହ୍ନା ପାଇଁ ଟଙ୍କାଟିଏ ଅଭିଯାନ। କ୍ଳବ୍ ଦ୍ଵାରା ଫୋନ ପେ ଓ ଗୁଗଲ ପେ ମାଧ୍ୟମରେ ପଇସା ଯୋଗାଡ କରାଯାଇଥିଲା। ବଦାନ୍ୟ ବ୍ୟକ୍ତିମାନଙ୍କ ସହଯୋଗରେ ୫୦,୦୦୦/- ଟଙ୍କା ସଂଗ୍ରହ ହୋଇଥିଲା। ଯାହାକୁ କି ଆଜି କ୍ଲବ୍ ର ସଦସ୍ୟମାନେ ଭୁବନେଶ୍ୱର ଆମ୍ରୀ ହସ୍ପିଟାଲରେ ୫୦,୦୦୦/- ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି। ଆଗକୁ କାହ୍ମାର ଚିକିତ୍ସା ପାଇଁ ଘରକୁ ବୁଲି ପଇସା ସଂଗ୍ରହ କରାଯିବ ବୋଲି କ୍ଲବ୍ ସଭାପତି ମନୋରଞ୍ଜନ ମହାରଣାଙ୍କ ଠାରୁ ସୂଚନା ମିଳିଛି।କ୍ଲବ୍ ର ସଦସ୍ୟମାନେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଯେ ଆପଣମାନେ ମଧ୍ୟ ଟଙ୍କାଟିଏ ଦାନ କରି ଏହି ମିଶନରେ ସାମିଲ ହୁଅନ୍ତୁ ଯାହା ଦ୍ଵାରା ଏକ କୋମଳମତି ବାଳକର ଜୀବନ ବଞ୍ଚିଯିବ।






