ନୟାଗଡ଼,(ବାଘୁଆବାର୍ତ୍ତା ବ୍ୟୁରୋ): ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା ଅନ୍ତର୍ଗତ ଶିଖରପୁର ଗ୍ରାମରେ ଆଜି ଜଣେ ନାବାଳକ ବିଦ୍ୟୁତ ଆଘାତରେ ଗୁରୁତର ହୋଇଛନ୍ତି । ନାବାଳକ ଜଣଙ୍କ ହେଲେ ନିରାକାର ବାଡ଼ତିଆଙ୍କ ପୁଅ ଜିତେନ୍ ବାଡ଼ତିଆ । ସୂଚନାନୁସାରେ, ଜିତେନ୍ ଆଜି ଅପରାହ୍ନରେ ବନମାଳୀ ଏମ୍.ଇ ସ୍କୁଲ ନିକଟ ପଡ଼ିଆରେ ସାଙ୍ଗ ମାନଙ୍କ ସହ ଫୁଟବଲ୍ ଖେଳୁଥିଲେ । ଫୁଟବଲଟି ଏକ ଗଛ ଡାଳରେ ଲାଖି ଯିବାରୁ ଫୁଟବଲ୍ ବାହାର କରିବାକୁ ସେ ଗଛରେ ଚଢ଼ିଥିଲେ । ଏହି ସମୟରେ ଗଛ ଉପରେ ଥିବା ବିଦ୍ୟୁତ ତାରରେ ତାଙ୍କ ମୁଣ୍ଡ ଲାଗି ଯାଇଥିଲା । ପର ମୂହୁର୍ତ୍ତରେ ସେ ଛଟପଟ ହେବା ଫଳରେ ତାଙ୍କ ଗୋଡ଼ ମଧ୍ୟ ତାରରେ ଲାଗିଗଲା । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୂବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ଜିତେନ୍ଙ୍କ ଗୋଡ଼ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି ।






