ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଟି-୨୦ ବିଶ୍ଵ କପ୍ରେ ଇଂଲଣ୍ଡକୁ ଲାଗିଲା ଶକ୍ତ ଝଟକା। ଇଂଲଣ୍ଡର ଓପନିଂ ବ୍ୟାଟସମ୍ୟାନ ଜାସନ ରୟ ଟି-୨୦ ବିଶ୍ଵ କପ୍ରୁ ବାଦ୍ ପଡିଛନ୍ତି। ଆହତ କାରଣରୁ ଟି-୨୦ ବିଶ୍ଵର ବାକି ମ୍ୟାଚ୍ ସେ ଖେଳି ପାରିବେ ନାହିଁ। ତାଙ୍କ ସ୍ଥାନରେ ଜେମ୍ସ ଭିନ୍ସଙ୍କୁ ଦଳରେ ସାମିଲ୍ କରାଯାଇଛି। ଭିନ୍ସ ପୂର୍ବରୁ ହିଁ ରିଜର୍ଭ ଖେଳାଳି ଭାବେ ଦଳରେ ଥିଲେ। ଜାସନ ରୟଙ୍କ ଗୋଡରେ ଆଘାତ ଲାଗିଥିବାରୁ ସେ ଟୁର୍ଣ୍ଣାମେଣ୍ଟର ବଳକା ମ୍ୟାଚ୍ରୁ ବାଦ୍ ପଡିଛନ୍ତି। ଇସିବି ସୋମବାର ଏହାର ସୂଚନା ଦେଇଛି। ଇଂଲଣ୍ଡକୁ ଚଳିତ ଟି-୨୦ ବିଶ୍ଵ କପ୍ରେ ଏହା ଦ୍ଵିତୀୟ ଝଟକା ଲାଗିଛି। ଜାସନ ରୟଙ୍କ ପୂର୍ବରୁ ଦ୍ରୁତ ବୋଲର ଟାଇମଲ ମିଲ୍ସ ମଧ୍ୟ ଜଙ୍ଘରେ ଆଘାତ ଲାଗିବା କାରଣରୁ ଟୁର୍ଣ୍ଣାମେଣ୍ଟରୁ ବାହାରି ସାରିଛନ୍ତି। ତାଙ୍କ ସ୍ଥାନରେ ଦ୍ରୁତ ବୋଲର ରିସ୍ ଟପ୍ଲେଙ୍କୁ ଇଂଲଣ୍ଡ ଦଳରେ ସାମିଲ୍ କରାଯାଇଛି। ଜାସନ ରୟ ଶନିବାର ସୁପର-୧୨ର ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ସହିତ ମ୍ୟାଚ୍ ବେଳେ ଆହତ ହୋଇଥିଲେ। ସେ ଯନ୍ତ୍ରଣାରେ ଛଟ ପଟ ସହ ପଡିଆ ବାହାରକୁ ଚାଲି ଯାଇଥିଲେ। ଟୁର୍ଣ୍ଣାମେଣ୍ଟରୁ ବାହାରିବା ନେଇ ଜାସନ କହିଛନ୍ତି, ଏହା ମୋ ପାଇଁ ବହୁତ ଦୁଃଖର କଥା। ଦଳକୁ ମୁଁ ସପୋର୍ଟ କରିବି ଏବଂ ଆଶା କରୁଛି ଦଳ ଟ୍ରଫି ଉଠାଇବ। ଏ ପର୍ୟ୍ୟନ୍ତ ଏକ ଅବିଶ୍ଵସନୀୟ ଯାତ୍ରା ରହିଛି। ଇଂଲଣ୍ଡ ବୁଧବାର ସେମି ଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିବ। ଏହି ଟୁର୍ଣ୍ଣାମେଣ୍ଟରେ ଇଂଲଣ୍ଡର ପ୍ରଦର୍ଶନ ଜବରଦସ୍ତ ରହିଛି। ହେଲେ ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ମ୍ୟାଚ୍ରେ ଦଳକୁ ପରାଜୟ ସାମ୍ନା କରିବାକୁ ପଡିଛି।






