ଭାରତ ବନାମ ସ୍କଟଲ୍ୟାଣ୍ଡ
ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): କ୍ରିକେଟ ପ୍ରେମୀଙ୍କ ପାଇଁ ତାଜା ଖବର । ଟି-୨୦ ବିଶ୍ୱକପରେ ଭାରତ ସେମିଫାଇନାଲ ଖେଳିବା ନେଇ ଧିରେ ଧିରେ ଆଶା ଉଜ୍ଜିବୀତ କରିବାରେ ଲାଗିଛି । ଶୁକ୍ରବାର ଆବୁଧାବୀରେ ଭାରତ ର ଦମଦାର ବିଜୟ ପରେ ଏହି ଆଶା ଉଜ୍ଜିବୀତ ହୋଇଛି । ମାତ୍ର ୬ ଓଭର ୩ଟି ବଲରେ ଭାରତ ସହଜ ବିଜୟ ହାସଲ କରିପାରିଛି । ରୋହିତ୍ ଶର୍ମା ଓ ଲୋକେଶ ରାହୁଲଙ୍କ ଦୁର୍ଦଶ ବ୍ୟାଟିଂ ଭାରତକୁ ଦମଦାର ବିଜୟ ଦେଇଛି । ଚଳିତ ଆଇସିସି ଟି-୨୦ ବିଶ୍ୱକପରେ ଭାରତ ତା’ର ଚତୁର୍ଥ ମୁକାବିଲାରେ ସ୍କଟଲ୍ୟାଣ୍ଡକୁ ୮ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଗ୍ରୁପ୍-୨ର ପଏଣ୍ଟ ଟେବୁଲରେ ଆଫଗାନିସ୍ତାନକୁ ହଟାଇ ତୃତୀୟ ସ୍ଥାନ ହାସଲ କରିଛି। ଏପରିକି ଭାରତର ନେଟ୍ ରନ୍ ରେଟ୍ ମଧ୍ୟ ଆହୁରି ମଜଭୁତ୍ ହୋଇଛି। ଭାରତ ଏବେ ୧.୬୧୯ ରନ୍ ରେଟ୍ ସହ ୪ ପଏଣ୍ଟ ହାସଲ କରିନେଇଛି। ଭାରତକୁ ଏବେ ନ୍ୟୁଜିଲ୍ୟାଣ୍ଡ ଓ ଆଫଗାନିସ୍ତାନ ମ୍ୟାଚର ଫଳାଫଳକୁ ଅପେକ୍ଷା କରିବାକୁ ପଡ଼ିବ। ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟର ୩୭ତମ ମ୍ୟାଚରେ ଭାରତର ଘାତକ ବୋଲିଂକୁ ସାମ୍ନା କରିନପାରି ସ୍କଟଲ୍ୟାଣ୍ଡ ୧୭.୪ ଓଭରରେ ୮୫ ରନ୍ କରି ଅଲଆଉଟ୍ ହୋଇଥିଲା। ଏହାର ଜବାବରେ ଭାରତ ମାତ୍ର ୬.୩ ଓଭରରେ ୨ ୱିକେଟ୍ ହରାଇ ୮୯ ରନ୍ କରି ମ୍ୟାଚକୁ ଏକତରଫା ଭାବେ ଜିତି ନେଇଛି। ପଏଣ୍ଟ ଟେବୁଲରେ ଆଫଗାନିସ୍ତାନକୁ ପଛରେ ପକାଇବା ପାଇଁ ଭାରତକୁ ଏହି ଲକ୍ଷ୍ୟ ୪୩ ବଲ୍ ଭିତରେ ହାସଲ କରିବାକୁ ଥିଲା। ଆଉ ଏହି କାମକୁ ସହଜ କରିଥିଲେ ଟିମର ଦୁଇ ଓପ୍ନର ଲୋକେଶ ରାହୁଲ ଓ ରୋହିତ୍ ଶର୍ମା। ଦୁହେଁ ୨୩ ବଲରେ ୫୦ ରନ୍ ପୂରଣ କରିଥିଲେ। ରୋହିତ୍ ଓ ରାହୁଲ୍ ପ୍ରଥମ ୱିକେଟ୍ ପାଇଁ ୩୦ ବଲରେ ୭୦ ରନ୍ ଯୋଡ଼ିଥିଲେ। ରୋହିତ୍ ୧୬ ବଲରେ ୫ ଚୌକା ଓ ୧ ଛକା ସହ ୩୦ ରନ୍ କରି ଆଉଟ୍ ହୋଇଥିଲେ। ରାହୁଲ୍ ମାତ୍ର ୧୮ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। କିନ୍ତୁ ପରବର୍ତ୍ତୀ ବଲରେ ସେ ଆଉଟ୍ ହୋଇଯାଇଥିଲେ। ଦୁହେଁ ଆଉଟ୍ ହେବା ପୂର୍ବରୁ ଭାରତ ପାଇଁ ମ୍ୟାଚ୍ ଶେଷ କରି ଦେଇଥିଲେ। ରାହୁଲ୍ ୧୯ ବଲରେ ୬ ଚୌକା ଓ ୩ ଛକା ସହ ୫୦ ରନ୍ କରିଥିଲେ। ସୂର୍ୟ୍ୟକୁମାର ଛକା ମାରି ଭାରତକୁ ବିଜୟୀ କରାଇଥିଲେ। କ୍ୟାପଟେନ୍ ବିରାଟ୍ କୋହଲି ୨ ରନ୍ କରି ଅପରାଜିତ ଥିଲେ। ଜବରଦସ୍ତ ବୋଲିଂ କରିଥିବା ରବୀନ୍ଦ୍ର ଜାଡେଜା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।






