ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଉତ୍ତର ପ୍ରଦେଶର କାନପୁରରେ ଜିକା ଭାଇରସ ବ୍ୟାପିବାରେ ଲାଗିଛି। ଆଜି ଏଠାରେ ପୁଣିଥରେ ୩୦ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୬ରେ ପହଞ୍ଚି ଯାଇଛି। ଏମାନଙ୍କ ମଧ୍ୟରେ ୪୫ ଜଣ ପୁରୁଷ ଓ ୨୧ ଜଣ ମହିଳା ଥିବା ସ୍ଥାନୀୟ ପ୍ରଶାସନ ସ୍ପଷ୍ଟ କରିଛି। ଅକ୍ଟୋବର ୨୩ରେ କାନପୁରରେ ପ୍ରଥମ ଜିକା ଭାଇରସ କେସ୍ ଚିହ୍ନଟ ହୋଇଥିଲା। ଭାରତୀୟ ବାୟୁସେନାର ଜଣେ ୱାରେଣ୍ଟ ଅଫିସର ଏହି ଜିକା ଭାଇରସରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ପୂରା ଜିଲ୍ଲାରେ ହଇଚଇ ସୃଷ୍ଟି ହୋଇଥିଲା। ଜିଲ୍ଲା ମାଜିଷ୍ଟ୍ରେଟ ବିଶାଖ ଜି ଆୟର କହିଛନ୍ତି, “ଆଜି ଆଉ ୩୦ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ବାୟୁସେନାର ଷ୍ଟେସନ ହ୍ୟାଙ୍ଗର୍ସକୁ ଲାଗି ରହିଥିବା ବିଭିନ୍ନ ସ୍ଥାନରୁ ନମୁନା ସଂଗ୍ରହ କରାଯାଇଥିଲା। ଏହାପରେ ଏହାକୁ ଲକ୍ଷ୍ନୌ ସ୍ଥିତ କିଙ୍ଗ ଜର୍ଜ ମେଡିକାଲ ବିଶ୍ୱବିଦ୍ୟାଳୟକୁ ପଠା ଯାଇଥିଲା। ଏବେ ସେଠାରୁ ୩୦ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଜିକା ହେଉଛି ମଶାରୁ ସୃଷ୍ଟି ହେଉଥିବା ଭାଇରସ। ମଶା ଠାରୁ ଦୂରେଇ ରହିଲେ ଏହି ଭାଇରସ ପାଖ ମାଡ଼ିବନି।” ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସ୍ୱାସ୍ଥ୍ୟ ଟିମ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ସାନିଟାଇଜେସନ କାର୍ୟ୍ୟକ୍ରମ କରାଯାଉଛି। ସେହିପରି ଜ୍ୱର ଥିବା ଲୋକଙ୍କୁ ଚିହ୍ନଟ କରି ପରୀକ୍ଷା କରାଯାଉଛି। ସେହିପରି ଗର୍ଭବତୀଙ୍କ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ କରିବା ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି।





