ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଡିସେମ୍ବର ମାସ ପୂର୍ବରୁ ଶେଷ ହେବ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା । ନିଯୁକ୍ତି ପାଇବେ ୧୬ ହଜାର ଶିକ୍ଷକ । ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ସୂଚନା ଦେଇଛନ୍ତି । ଏହାଫଳରେ ବିଦ୍ୟାଳୟରେ ଶିକ୍ଷକ ଅଭାବ ସମସ୍ୟା ରହିବା ନାହିଁ ବୋଲି ସୂଚନା ମିଳିଛି । ଦୀପାବଳି ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିବା ନେଇ ମଧ୍ୟ ସୂଚନା ଦେଇଛନ୍ତି ମନ୍ତ୍ରୀ । ପ୍ରଥମରୁ ପଞ୍ଚମ ଶ୍ରେଣୀ ନୂତନ ବର୍ଷ ପରେ ଖୋଲିବା ନେଇ ଆଶାବାଦୀ ଥିବା ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀ କହିଛନ୍ତି ପର୍ୟ୍ୟାୟ କ୍ରମେ ଶ୍ରେଣୀ ଖୋଲିବ । ପ୍ରଥମ ପର୍ୟ୍ୟାୟରେ ଷଷ୍ଠ ଏବଂ ସପ୍ତମ ଶ୍ରେଣୀ ଖୋଲିବ । ପ୍ରଥମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ କରୋନା ଗାଇଡଲାଇନ କହିବା କିଛି ମାନେ ନାହିଁ, ସେମାନେ ବୁଝିବେ ନାହିଁ । ଫଳରେ ତାଙ୍କ ଶ୍ରେଣୀ ଖୋଲିବା ନେଇ ବିଚାର ବିମର୍ଶ ହେବ ବୋଲି ମନ୍ତ୍ରୀ କହିଛନ୍ତି । ସେପେଟ ଦରବୃଦ୍ଧି ପାଇଁ ଏଡିଏମ ପ୍ରଭାବିତ ହେଉଥିବାକୁ ନେଇ ମନ୍ତ୍ରୀ ସ୍ବୀକାର କରିଛନ୍ତି । ଏହା ଜାତୀୟ ପଲିସି ହୋଇଥିବାରୁ ଓଡିଶା ସହ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରକୁ ଅବଗତ କରାଇଥିବା ମନ୍ତ୍ରୀ କହିଛନ୍ତି । ବୁଧବାର ସମ୍ବଲପୁର ଲେଡି ଲୁଇସ ସ୍କୁଲ ଗସ୍ତ କରିବା ସହ ମନ୍ତ୍ରୀ ସ୍ମାର୍ଟ କ୍ଲାସ ବୁଲି ଦେଖିଛନ୍ତି । ଛାତ୍ରଛାତ୍ରୀଙ୍କ ସହ ପାଠପଢା ବିଷୟରେ ଆଲୋଚନା ବି କରିଛନ୍ତି। ସେପଟେ ମନ୍ତ୍ରୀଙ୍କୁ ପାଖରେ ପାଇ ବେଶ ଖୁସି ଛାତ୍ରଛାତ୍ରୀ । ଷଷ୍ଠ-ସପ୍ତମ ଶ୍ରେଣୀ ଖୋଲିବା ନେଇ ପୁରା ପ୍ରସ୍ତୁତ ଥିବା ଶିକ୍ଷକମାନେ କହିଛନ୍ତି ।





