ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଟିମ୍ ଇଣ୍ଡିଆର କ୍ରିକେଟ୍ ଟିମର ମୁଖ୍ୟ କୋଚ୍ ଦୌଡ଼ରେ ରାହୁଲ ଦ୍ରାବିଡ ଓ ଭିଭିଏସ୍ ଲକ୍ଷ୍ମଣ । ଟି-୨୦ ବିଶ୍ଵ କପ୍ ପରେ ଭାରତୀୟ ଦଳର ମୁଖ୍ୟ କୋଚ୍ ପଦ ଛାଡିବେ ରବି ଶାସ୍ତ୍ରୀ। ଏହା ପରେ ଦଳକୁ ମିଳିବ ନୂତନ କୋଚ୍। ଏ ନେଇ ବିସିସିଆଇ ନିଜର ପ୍ରକ୍ରିୟା ଆରମ୍ଭ କରି ଦେଇଛି। ସମସ୍ତ କଳ୍ପନା ଜଳ୍ପନା ପରେ ଶେଷରେ ଭାରତର ପୂର୍ବତନ କ୍ରିକେଟ୍ର ରାହୁଲ ଦ୍ରାବିଡ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକଙ୍କ ପାଇଁ ଆବେଦନ କରିଛନ୍ତି। ବିସିସିଆଇର ଜନୈକ ଅଧିକାରୀ ମଙ୍ଗଳବାର ଏହାର ସୂଚନା ଦେଇଛନ୍ତି। ଆଜି କୋଚ୍ ପଦ ପାଇଁ ଆବେଦନ କରିବାର ଶେଷ ତାରିଖ ଥିଲା। ଅନ୍ୟପଟେ ଭିଭିଏସ ଲକ୍ଷ୍ମଣଙ୍କୁ ଜାତୀୟ କ୍ରିକେଟ୍ ଏକାଡେମୀ(ଏନସିଏ)ର ନିର୍ଦ୍ଦେଶକ କରାଯାଇପାରେ। ସୂଚନାନୁସାରେ, ବିସିସିଆଇର ଅଧିକାରୀ ନିକଟରେ ରାହୁଲ ଦ୍ରାବିଡଙ୍କୁ ୟୁଏଇରେ ଭେଟିଥିଲେ। ଏହି ସମୟରେ ସୌରଭ ଗାଙ୍ଗୁଲି, ଜୟ ଶାହା ଏବଂ ଅନ୍ୟ ଅଧିକାରୀ କୋଚ୍ ପଦ ପାଇଁ ରାହୁଲ ଦ୍ରାବିଡଙ୍କୁ ଭେଟିଥିଲେ। ବିସିସିଆଇ ମଧ୍ୟ ଏହି ସମସ୍ତ ପ୍ରକ୍ରିୟା ପୂର୍ବରୁ ରାହୁଲ ଦ୍ରାବିଡ ଦଳର ମୁଖ୍ୟ କୋଚ୍ ହେବେ ବୋଲି କହିଥିଲା। ହେଲେ ସେହି ସମୟରେ ଦ୍ରାବିଡ ମନା କରି ଦେଇଥିଲେ। ଏହା ପୂର୍ବରୁ ଦ୍ରାବିଡ ଜୁଲାଇରେ ଭାରତୀୟ ଦଳର ଶ୍ରୀଲଙ୍କା ଗସ୍ତରେ ମୁଖ୍ୟ କୋଚ୍ ଦାୟିତ୍ଵ ତୁଲାଇଥିଲେ। ଦୀର୍ଘ ସମୟ ଧରି କଳ୍ପନା ଜଳ୍ପନା ଜାରି ରହିଥିଲା ଯେ, ରାହୁଲ ଦ୍ରାବିଡ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ହୋଇ ପାରନ୍ତି। ହେଲେ ଦ୍ରାବିଡ ଏନସିଏ ନିର୍ଦ୍ଦେଶକ ପଦରେ କାର୍ୟ୍ୟରତ ଥିବାରୁ ସେ ଏହି ପଦ ନେବାକୁ ଇଚ୍ଛା ପ୍ରକାଶ କରିନଥିଲେ। ହେଲେ କିଛି ଦିନ ତଳେ ଖବର ଆସିଥିଲା ଯେ, ରାହୁଲ ଭାରତୀୟ ଦଳର ମୁଖ୍ୟ କୋଚ୍ ହେବାକୁ ରାଜି ହୋଇଛନ୍ତି। ଏହି କ୍ରମରେ ସେ ଆଜି ଆବେଦନ କରିଛନ୍ତି। ଏବେ ସେ ଦଳର ମୁଖ୍ୟ ପ୍ରଶିକ୍ଷକ ହେବା ପ୍ରାୟତଃ ନିଶ୍ଚିତ ହୋଇ ଯାଇଛି। ଅନ୍ୟପଟେ ବିଶ୍ଵସ୍ତ ସୂତ୍ର ଅନୁଯାୟୀ ପୂର୍ବତନ ଭାରତୀୟ ଖେଳାଳି ଭିଭିଏସ ଲକ୍ଷ୍ମଣଙ୍କୁ ଜାତୀୟ କ୍ରିକେଟ୍ ଏକାଡେମୀ(ଏନସିଏ)ର ନିର୍ଦ୍ଦେଶକ କରାଯାଇପାରେ । ପୂର୍ବତନ ଭାରତୀୟ ଓ୍ଵିକେଟ୍ କିପର ଅଜୟ ରାତ୍ରା ଫିଲ୍ଡିଂ କୋଚ୍ ପାଇଁ ଆବେଦନ କରିଛନ୍ତି। ଫରିଦାବାଦରେ ଜନ୍ମିତ ୩୯ ବର୍ଷୀୟ ରାତ୍ରା ୬ ଟେଷ୍ଟ ଏବଂ ୧୨ ଦିନିକିଆ ଖେଳିଛନ୍ତି। ଘରୋଇ କ୍ରିକେଟ୍ରେ ହରିୟାଣା ପକ୍ଷରୁ ପ୍ରତିନିଧିତ୍ଵ କରି ସାରିଥିବା ଏହି ପୂର୍ବତନ ଖେଳାଳିଙ୍କ ପାଖରେ କୋଚିଂର ଭଲ ଅଭିଜ୍ଞତା ରହିଛି। ସେ ଏବେ ଆସାମ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ଅଛନ୍ତି। ଅଜୟଙ୍କ ବ୍ୟତୀତ ଅଭୟ ଶର୍ମା ମଧ୍ୟ ଫିଲ୍ଡିଂ କୋଚ୍ ପାଇଁ ଆବେଦନ କରି ସାରିଛନ୍ତି। ଏବେ ଦେଖିବା ବାକି ରହିାଲ ଦ୍ରାବିଡ ମୁଖ୍ୟ କୋଚ୍ ହେବା ପରେ ସେ ଦଳ ପାଇଁ କାହାକୁ ଚୟନ କରୁଛନ୍ତି।






