
ନୟାଗଡ଼, (ବାଘୁଆବାର୍ତ୍ତା ବ୍ୟୁରୋ) : ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଗଣିଆ ବ୍ଲକର ଛାମୁଣ୍ଡିଆ ନିକଟସ୍ଥ ମୁଦୁଲିଗାଡିଆ ଗ୍ରାମ ହୋଇଛି ରାଜ୍ୟର ପ୍ରଥମ ଇକୋ ଭିଲେଜ୍ । ଏହି ଗ୍ରାମକୁ ଗ୍ରାମବାସୀମାନେ ପଲିଥିନ୍ ଓ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ନିଷ୍ପତି ନେଇଥିବା ବେଳେ ଗ୍ରାମରେ ଥିବା ପ୍ରତ୍ୟେକ ଘର, ମନ୍ଦିର ଓ ପରିବେଶକୁ ବିଭିନ୍ନ ରଙ୍ଗରେ ସଜାଇ ଦେଇଛନ୍ତି । ସାତକୋଶିଆକୁ ଆସୁଥିବା ପର୍ଯ୍ୟଟକମାନେ ଏହି ସୁନ୍ଦର ଗ୍ରାମକୁ ଭ୍ରମଣ କରିବା ଉଦ୍ଦେଶ୍ୟରେ ବିଭାଗ ପକ୍ଷରୁ ଏହି ଗ୍ରାମକୁ ସଜା ଯାଇଛି । ଏହାଦ୍ୱାରା ମୁଦୁଲିଗାଡିଆ ଗ୍ରାମର ପ୍ରତ୍ୟେକ
ପରିବାର କିପରି ସ୍ୱାବଲମ୍ବି ହୋଇପାରିବେ ସେଥିପ୍ରତି ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି । ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଛାମୁଣ୍ଡିଆ ବନାଳ ଅନ୍ତର୍ଗତ ମୁଦୁଲିଗାଡିଆ ଗ୍ରାମକୁ ରାଜ୍ୟର ପ୍ରଥମ ଇକୋ ଭିଲେଜ ମାନ୍ୟତା ମିଳିବା ପରେ ଏହି ସ୍ଥାନର ଗୁରୁତ୍ୱ ବଢିଯାଇଛି । ପ୍ରତ୍ୟେକ ଘରକୁ ନାଲିରଙ୍ଗରେ ସହ ଝୋଟି ଚିତାରେ ସଜା ଯାଇଛି । ପ୍ରତ୍ୟହ ମା’ ସାତଭଉଣି ପରିବେଶ ବିକାଶ ସମିତି ସଦସ୍ୟାମାନେ ଗ୍ରାମର ପରିବେଶକୁ ସଫାସୁତରାର ଦାୟିତ୍ୱ ନେଇଛନ୍ତି । ବଡମୂଳ ରିସୋର୍ଟ ଠାରୁ ଦୁଇକିଲୋମିଟର ଦୂରରେ ଏହି ଗ୍ରାମ ରହିଥିବା ବେଳେ ଗ୍ରାମର ୩୦ ଜଣ ପୁରୁଷ ଓ ମହିଳାଙ୍କୁ ସାମିଲ କରାଯାଇଛି । ଏହାସହିତ ଗ୍ରାମବାସୀଙ୍କ ପକ୍ଷରୁ ବିଭିନ୍ନ ଡଷ୍ଟବିନ୍ ନିର୍ମାଣ କରାଯାଇଥିବା ବେଳେ ସମସ୍ତଙ୍କ ଘରେ ପାଇଖାନା ନିର୍ମାଣ କରାଯାଇଛି ଏବଂ ବାହ୍ୟ ମଳମୁକ୍ତ ତ୍ୟାଗ କରିଛନ୍ତି । ଆଗକୁ ଅନ୍ୟ ୩୬ ଗ୍ରାମକୁ ଏହି ପ୍ରକଳ୍ପରେ ସାମିଲ କରାଯିବ ବୋଲି ଜଣାପଡିଛି । ସରକାରଙ୍କ ପକ୍ଷୁରୁ ଆସୁଥିବା ଅନୁଦାନର ୧୦ ପ୍ରତିଶତ ଏହି ପରିବେଶ ବିକାଶ ସମିତିକୁ ଦିଆଯାଉଛି । ଆସନ୍ତା ୧୫ ତାରିଖରେ ଏହାର ବିଧିବଦ୍ଧ ଉଦ୍ଘାଟନ କରାଯିବ ।





