ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ ଟି-୨୦ ବିଶ୍ୱକପର ମହାସମର । ମୁହାଁ ମୁହିଁ ହେବେ ଭାରତ-ପାକିସ୍ତାନ । ହେବ ରୋମାଞ୍ଚକର ମ୍ୟାଚ୍ । ଦୁଇ ଦେଶର କ୍ରିକେଟ ପ୍ରେମୀ ମ୍ୟାଚ ଦେଖିବାକୁ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି । ଗୋଟିଏ ପଟେ ଦେଖିବାକୁ ଗଲେ ଭାରତ ଟି-୨୦ ବିଶ୍ବକପରେ ଆଜିଯାଏଁ ପାକିସ୍ତାନ ଠାରୁ ହାରି ନାହିଁ । ଅନ୍ୟପଟେ ପାକିସ୍ତାନ ଭାରତକୁ ହରାଇ ନୂଆ ରେକର୍ଡ କରିବାକୁ ଜୋରଦାର ପ୍ରୟାସ କରିବ । ପାକିସ୍ତାନକୁ ଟକ୍କର ଦେବାକୁ ପୁରାପୁରି ଭାବେ ପ୍ରସ୍ତୁତ ବିରାଟ ବାହିନୀ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯେତେବେଳେ ବି ମ୍ୟାଚ ଖେଳାଯାଏ ସବୁବେଳେ ଖେଳାଳିମାନଙ୍କ ବ୍ୟକ୍ତିଗତ ଖେଳ ଉପରେ ନଜର ରହିଥାଏ । ସଚିନ ତେନ୍ଦୁଲକର ବନାମ ସୋଏବ ଅଖତାର ହଉ କିମ୍ବା ସଇଦ ଅନଓ୍ବର ବନାମ ଜଗଦଲ ଶ୍ରୀନାଥ । ଆଜିର ମ୍ୟାଚରେ ବି ଉଭୟ ଟିମର ଅନେକ ଖେଳାଳିଙ୍କ ମଧ୍ୟରେ ରୋଚକ ମୁକାବିଲା ଦେଖିବାକୁ ମିଳିବ । କ୍ରିକେଟ ପ୍ରେମୀଙ୍କ ନଜର ଆଜିର ମ୍ୟାଚ ଉପରେ ରହିଛି ।






