ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ତେଜିଲାଣି । ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ଭୋଟ୍ ପାଇଁ ୱାର୍ଡ ସୀମା ନିର୍ଦ୍ଧାରଣ ସହ ସଂରକ୍ଷଣ ତାଲିକା ଚୂଡ଼ାନ୍ତ କର । ଆସନ୍ତା ୨୬ ସୁଦ୍ଧା ଏ ତାଲିକା ନିର୍ବାଚନ କମିଶନଙ୍କୁ ହସ୍ତାନ୍ତର କରିବାକୁ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନଭେମ୍ବର ୫ ସୁଦ୍ଧା ଭୋଟ ଗ୍ରହଣ କେନ୍ଦ୍ର ଚିହ୍ନଟ କରିବାକୁ କୁହାଯାଇଛି । ବାଲାଟ ବକ୍ସର ମରାମତି ଓ ରଙ୍ଗ କାମକୁ ତ୍ୱରିତ ଉପରେ ମଧ୍ୟ ଶ୍ରୀ ପାଢ଼ୀ ଗୁରୁତ୍ୱ ଦେଇଛନ୍ତି । ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରେ ପଞ୍ଚାୟତ ଭୋଟ୍ କରିବାକୁ ବିଚାର ଚାଲିଥିଲା ବେଳେ ରାଜ୍ୟ ନିର୍ବାଚନ କମିଶନ ପ୍ରକ୍ରିୟାକୁ ଅଧିକ ଆଗେଇ ନେଇଛନ୍ତି । ଆଜି ନିର୍ବାଚନ କମିଶନର ଶ୍ରୀ ପାଢ଼ୀ ଜିଲ୍ଲାପାଳମାନଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଥିଲେ । ଆଲୋଚନା ବେଳେ ସେ ସ୍ପଷ୍ଟ ଭାବେ କହିଛନ୍ତି, ପଞ୍ଚାୟତ ଭୋଟ ପାଇଁ ୱାର୍ଡ ଓ ପଦବି ସଂରକ୍ଷଣ ତାଲିକା ଜିଲ୍ଲାପାଳମାନେ ସ୍ୱତନ୍ତ୍ର ବାର୍ତ୍ତାବହ ଜରିଆରେ ନିର୍ବାଚନ କମିଶନଙ୍କୁ ପଠାଇବେ । ଏଥିପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଧାରିତ ଫର୍ମାଟ୍ ପଠାଯାଇଛି । ଇତିମଧ୍ୟରେ ଚିଠା ସଂରକ୍ଷଣ ତାଲିକା ଜାରି ହୋଇଥିଲା ବେଳେ ଆପତ୍ତି ଅଭିଯୋଗର ଶୁଣାଣି ପରେ ଜିଲ୍ଲାପାଳମାନେ ଚୂଡ଼ାନ୍ତ ତାଲିକା କମିଶନଙ୍କୁ ଦେବେ । ଆସନ୍ତା ପଞ୍ଚାୟତ ନିର୍ବାଚନରେ ବ୍ୟବହୃତ ହେବାକୁ ଥିବା ବାଲାଟ୍ ବକ୍ସ ସଂପର୍କରେ ନିର୍ବାଚନ କମିଶନର ଆଲୋଚନା କରିଥିଲେ । ଜିଲ୍ଲାରେ କେତେ ସଂଖ୍ୟାରେ ବାଲାଟ୍ ବକ୍ସ ଦରକାର ହେବ ଏବଂ ଜିଲ୍ଲାସ୍ତରରେ କେତେ ବାଲାଟ୍ ବକ୍ସ ଅଛି, ସେ ସଂପର୍କରେ କମିଶନ ଜାଣିବାକୁ ଚାହିଁଥିଲେ । ପଞ୍ଚାୟତ ନିର୍ବାଚନରେ ବ୍ୟବହୃତ ହେବାକୁ ଥିବା ବାଲାଟ୍ ବକ୍ସର ମରାମତି ଓ ରଙ୍ଗ କରାଇବା ପାଇଁ ନିର୍ବାଚନ କମିଶନ ସମସ୍ତ ଜିଲ୍ଲାପାଳଙ୍କୁ କହିଛନ୍ତି । ଏ ବାବଦରେ ୧ କାଟି ୧୬ ଲକ୍ଷ ଟଙ୍କା ଜିଲ୍ଲାଗୁଡ଼ିକୁ ପ୍ରଦାନ କରାଯାଇଛି । ଆସନ୍ତା ନଭେମ୍ବର ୧୫ ସୁଦ୍ଧା ଏ କାମ ସାରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ବାଚନ ପରେ ଭୋଟ ଗଣତି ସଂପର୍କରେ ନିର୍ବାଚନ କମିଶନ ଏକ ବିସ୍ତୃତ ନିୟମାବଳୀ ଜାରି କରିଛନ୍ତି । ଏଥର ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ବ୍ଲକ୍ ମୁଖ୍ୟାଳୟଠାରେ ଅନୁଷ୍ଠିତ ହେବ । ଜିଲ୍ଲାପାଳମାନେ ଭୋଟ ଗଣତି ସଂପର୍କରେ ଜାରି କରାଯାଇଥିବା ବିସ୍ତୃତ ନିୟମାବଳୀକୁ ଅନୁଧ୍ୟାନ କରିବେ । ବ୍ଲକ୍ ମୁଖ୍ୟାଳୟରେ ଭୋଟ ଗଣତି କେନ୍ଦ୍ର ଚିହ୍ନଟ ସହ ପ୍ରସ୍ତୁତ କରି ରଖିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ନିର୍ବାଚନ କମିଶନର ଭୋଟର ତାଲିକା ସଂପର୍କରେ ବିଶଦ ଆଲୋଚନା କରିଥିଲେ । ପଞ୍ଚାୟତ ନିର୍ବାଚନ ନିମନ୍ତେ ଜାନୁଆରୀ ୨୦୨୧ରେ ପ୍ରକାଶ ପାଇଥିବା ବିଧାନସଭା ନିର୍ବାଚନ ମଣ୍ଡଳୀ ଭୋଟର ତାଲିକା ସମସ୍ତ ଜିଲ୍ଲାଗୁଡ଼ିକୁ ସି.ଡି (ଏକ୍ସଲ୍ ଫର୍ମାଟ୍) ଜରିଆରେ ପଠାଯାଇଛି । ଏହାକୁ ଆଧାର କରି ଜିଲ୍ଲାରେ ଆସନ୍ତା ୨୦୨୨ରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନ କମିଶନ ପଞ୍ଚାୟତ ନିର୍ବାଚନ ପାଇଁ ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନଙ୍କୁ ନିଯୁକ୍ତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି । ଏହି କାର୍ୟ୍ୟ ଆସନ୍ତା ୨୫ ସୁଦ୍ଧା ସମାପ୍ତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ କେନ୍ଦ୍ର ଚିହ୍ନଟ ହେବ । ଯେଉଁଠାରେ ଭୋଟ ଗ୍ରହଣ ନିମନ୍ତେ ସୁବିଧା ନଥିବ ସେଠାରେ ଅସ୍ଥାୟୀ ଭୋଟ ଗ୍ରହଣ କେନ୍ଦ୍ର ନିର୍ମାଣ କରାଯିବ । ଜିଲ୍ଲାସ୍ତରରେ ବାଲାଟ ବକ୍ସ କଭର ନଭେମ୍ବର ୩୦ ସୁଦ୍ଧା କିଣିବାକୁ କମିଶନ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି କାର୍ୟ୍ୟ କଲାବେଳେ ଆବଶ୍ୟକ ନିର୍ଦ୍ଦେଶାବଳୀକୁ ଅନୁପାଳନ କରିବାକୁ ହେବ ବୋଲି କମିଶନ ସ୍ପଷ୍ଟ କରିଛନ୍ତି । ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ନିର୍ବାଚନ କମିଶନଙ୍କ ସହ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ପଞ୍ଚାୟତ ଅଧିକାରୀ, ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ରନାଥ ସାହୁ, ଉପସଚିବ ଆଜାଦ୍ହିନ୍ଦ ପାଣିଗ୍ରାହୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।






