ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସିଆର୍ପିଏଫ୍ ଛକରେ ଲକ୍ଷ୍ମୀପୂଜାରେ ୨ ଗୋଷ୍ଠୀ ମଧ୍ୟରେ ହଣାକଟା ଘଟିଛି । ଏଥିରେ ୨ ଜଣ ଆହତ ହୋଇଛନ୍ତି । ଜଣେ ଆହତଙ୍କ ନାଁ ହେଉଛି ବିନୟ ଆଚାର୍ୟ୍ୟ । ଅନ୍ୟଜଣଙ୍କ ପରିଚୟ ମିଳିପାରିନି । ତେବେ ଆକ୍ରମଣରେ ଜଣେ ପୁଲିସ କର୍ମଚାରୀଙ୍କ ପୁଅର ସମ୍ପୃକ୍ତି ରହିଛି । ଯୁବତୀଙ୍କୁ କମେଣ୍ଟ ମରାରୁ ଏହି ଗୋଷ୍ଠୀ ସଂଘର୍ଷ ଘଟିଥିବା ନୂଆପଲ୍ଲୀ ଥାନା ପୁଲିସ୍ କହିଛି । ସୂଚନା ମୁତାବକ, ସିଆର୍ପି ଛକ ପ୍ରିୟଦର୍ଶିନୀ ମାର୍କେଟରେ ଲକ୍ଷ୍ମୀପୂଜା ପୂଜା ମଣ୍ଡପରେ କିଛି ଯୁବକ ବସିଥିଲେ । ବରମୁଣ୍ଡା ଅଞ୍ଚଳର ଜଣେ ଯୁବକ ସନ୍ଧ୍ୟା ସାଢ଼େ ୭ଟା ବେଳେ ତାଙ୍କ ବାନ୍ଧବୀଙ୍କୁ ସାଥୀରେ ଧରି ମାର୍କେଟକୁ ଯାଇଥିଲେ । ସେଠାରୁ ସେ ୟୁନିଟ୍-୮ ଡିଏଭି ସ୍କୁଲ ଆଡ଼େ ବାଇକ୍ରେ ଯିବା ବେଳେ ମଣ୍ଡପରେ ବସିଥିବା କିଛି ଯୁବକ ଯୁବତୀଙ୍କୁ ଅଶ୍ଲୀଳ କମେଣ୍ଟ କରିଥିଲେ । ଯୁବକଜଣକ ସେଠି କାହାରିକୁ କିଛି ନ କହି ବାନ୍ଧବୀଙ୍କୁ ନେଇ ପଳାଇଆସିଥିଲେ। କିନ୍ତୁ ରାତି ସାଢ଼େ ୮ଟା ବେଳେ ୨୦ରୁ ଅଧିକ ଯୁବକଙ୍କୁ ସାଙ୍ଗରେ ଧରି ପୂଜା ମଣ୍ଡପକୁ ଯାଇଥିଲେ । କମେଣ୍ଟ ମାରିଥିବା ବିନୟଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ପୂଜା ମଣ୍ଡପର କର୍ମକର୍ତ୍ତାମାନେ ବିରୋଧ କରିବାରୁ ୨ ଗୋଷ୍ଠୀଙ୍କ ମଧ୍ୟରେ ମାର୍ପିଟ୍ ହୋଇଥିଲା । ଏଥିରେ ଅନ୍ୟଜଣେ କର୍ମକର୍ତ୍ତା ଆହତ ହୋଇଥିଲେ। ପୁଲିସ କହିଛି, ଘଟଣା ସମ୍ପର୍କରେ ବିନୟ ଏତଲା ଦେଇଛନ୍ତି । ଘଟଣାସ୍ଥଳରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍ରୁ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଛି। ପୁଲିସ ଘଟଣାରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଫେରାର୍ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାକୁ ଚେଷ୍ଟା ଚାଲିଛି।






