ଭୁବନେଶ୍ୱର, (ବାଘୁଆବାର୍ତ୍ତା): କୁଆଁର ପୁନେଇଁ ଜହ୍ନ ଗୋଟ୍ଟ ଫୁଲ ବଉଳ ବେଣୀଟ୍ଟ । ଗାଁଠୁ ସହରରେ ଏମିତି ଗୀତ ଗାଇ କୁମାର ପୂର୍ଣ୍ଣିମା ପାଳିବେ କୁମାରୀ ଝିଅ । ଆଜି ସକାଳୁ କୁମାରୀ ଝିଅମାନେ ମା’ ବୃନ୍ଦାବତୀଙ୍କ ନିକଟରେ ପୂଜା କରିଛନ୍ତି । କୁମାର ପୂର୍ଣ୍ଣିମା ଓ ଏକ ମାସ ଧରି ଚାଲିଥିବା ଜହ୍ନି ଓଷା ସମ୍ପୂର୍ଣ୍ଣ ହେବ । ଏହି ଅବସରରେ ଝିଅମାନେ ସୂର୍ୟ୍ୟ ଉଦୟ ପୂର୍ବରୁ ସ୍ନାନ କରିଛନ୍ତି । ନୂଆ ପୋଷାକ ପରିଧାନ କରି ନୂଆ ଡାଲାରେ ଗୁଆ, ଲିଆ, ବିଭିନ୍ନ ପ୍ରକାର କଞ୍ଚା ଓ ପାଚିଲା ଫଳ ଏବଂ ନଡ଼ିଆ ନେଇ ବୃନ୍ଦାବତୀଙ୍କ ପାଖରେ ଏକାଠି ହୋଇଛନ୍ତି । ସମସ୍ତେ ମା’ ବୃନ୍ଦାବତୀଙ୍କ ଆଗରେ ଆଞ୍ଜୁଳିରେ ଲିଆ ଧରି ସେଥିରେ ଗୋଟିଏ ଲେଖାଏଁ ଫଳ ରଖି ଆଞ୍ଜୁଳି ଟେକିଛନ୍ତି । ମାନସିକ କରି ମା’ଙ୍କ ଆଶୀର୍ବାଦ ନେଇଛନ୍ତି । ପରେ ସବୁ କଞ୍ଚାଫଳକୁ ଏକାଠି କରି ମା’ଙ୍କୁ ଅର୍ପଣ କରିଛନ୍ତି। ସନ୍ଧ୍ୟାରେ ଆଞ୍ଜୁଳି ଟେକିଥିବା ଲିଆ ଓ ଫଳରେ ଚାନ୍ଦ ତିଆରି କରି ବୃନ୍ଦାବତୀଙ୍କ ପାଖରେ ଭୋଗ କରିବେ । କାକରା ମଧ୍ୟ ପୂଜା ହେବ । ଚାନ୍ଦ ଦେଖିବା ପରେ ଏହି ଭୋଗ ଚାନ୍ଦକୁ ଖାଇ କୁମାରୀ ଝିଅମାନେ ବ୍ରତ ସମ୍ପନ୍ନ କରିବେ । ଚଳିତ ବର୍ଷ କରୋନା କଟକଣା ପାଇଁ ବିଭିନ୍ନ ଅଂଚଳରେ କୁମାର ଉତ୍ସବ ଫିକା ପଡି ଯାଇଥିଲେ ସୁଦ୍ଧା ପରମ୍ପରା ରକ୍ଷା କରିବାକୁ ଭୁଲି ନାହାନ୍ତି ।






