ଆଠମଲ୍ଲିକ, (ବାଘୁଆବାର୍ତ୍ତା): ବାରହା ଶିକାର କରିବାକୁ ଯାଇ ନିଜେ ଫସିଗଲା ଶିକାରୀ । ନିଜେ ବିଛାଇଥିବା ବିଦ୍ୟୁତ ତାରରେ ପଡି ଜୀବନ ହାରିଲା । ଏପରି ଘଟଣା ଘଟିଛି ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ହଣ୍ଡପା ରେଞ୍ଜ ରଘୁନାଥପୁର ଗ୍ରାମରେ । ସୂଚନାନୁସାରେ, ଗ୍ରାମର କାଳିଆ ସାହୁ ନାମକ ବ୍ୟକ୍ତି ଅନ୍ୟକିଛି ସହଯୋଗୀ ସହିତ ଗାଁ ନିକଟ ଜଙ୍ଗଲରେ ବିଦ୍ୟୁତ ତାର ଲଗାଇଥିଲେ । ତାର ଲଗାଇ ଜଙ୍ଗଲି ବାରହା ଶିକାର କରିବାକୁ ସେ ଯାଇଥିଲେ । ଦୁଇ ଗୋଟି ବାରହାକୁ ବିଦ୍ୟୁତ ସଂଯୋଗରେ ମାରିବା ପରେ ଆଉ ଏକ ବାରହା ମରିଛି କି ନାହିଁ ଜାଣିବା ପାଇଁ କାଳିଆ ରାତିରେ ଯାଇଥିଲେ । ତେବେ ତାର ସଂସ୍ପର୍ଶରେ ସେ ଆସି ଯାଇଥିଲେ । ଯାହା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଶିକାର ମାମଲାରୁ ବର୍ତ୍ତିବା ପାଇଁ କାଳିଆର ଗଳାକୁ କେହି ଜଣେ କାଟି ଦେଇଥିବା ଦେଖିବାକୁ ମିଳିଛି । ଦୁର୍ଘଟଣା ଜନିତ ମୃତ୍ୟୁକୁ ହତ୍ୟାର ରୁପ ଦିଆଯାଇଥିବା ଖବର ଆସୁଛି । ଘଟଣାସ୍ଥଳରେ ପରିବାର ଲୋକେ ଓ ପୋଲିସ ପହଞ୍ଚି ସତ୍ୟାସତ୍ୟ କ’ଣ ଜାଣିବାକୁ ତଦନ୍ତ ଚଳାଇଛନ୍ତି ।






