ଭୋଗରାଇ, (ବାଘୁଆବାର୍ତ୍ତା): ବାଲେଶ୍ଵର ଜିଲ୍ଲା ଭୋଗରାଇ ଉଦୟପୁର ବେଳାଭୂମି ନିକଟବର୍ତ୍ତୀ ହୋଟେଲରେ ସେକ୍ସ ରାକେଟ୍ର ପର୍ଦ୍ଦାଫାସ୍ କରିଛି ପୋଲିସ। ଦୀର୍ଘଦିନ ଧରି ଏଠାରେ ଦେହ ବ୍ୟବସାୟ ଚାଲୁଥିଲା। ଏନେଇ ଗ୍ରାମବାସୀମାନେ ଅଭିଯୋଗ କରିବା ସତ୍ତ୍ଵେ ପୋଲିସ ଶୁଣୁନଥିଲା। ଶେଷରେ ଗତକାଲି ରାତିରେ ହୋଟେଲ କର୍ମଚାରୀ ଓ ଗ୍ରାମବାସୀମାନଙ୍କ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହି ରାକେଟ୍ର ପର୍ଦ୍ଦାଫାସ୍ କରିଛି। ସୂଚନାନୁସାରେ, ଦୀର୍ଘ ଦିନ ଧରି ପଶ୍ଚିମବଙ୍ଗରୁ ଦେହଜୀବୀଙ୍କୁ ଆଣି ବ୍ୟବସାୟ ଚାଲିଥିଲା । ଏନେଇ ଗ୍ରାମବାସୀମାନେ ବାରମ୍ବାର ସ୍ଥାନୀୟ ମେରାଇନ୍ ଥାନା ଏବଂ ଏସଡିପିଓଙ୍କ ପାଖରେ ଅଭିଯୋଗ କରିଥିଲେ । ହେଲେ ପୋଲିସ କୌଣସି କାର୍ୟ୍ୟାନୁଷ୍ଠାନ ନେଇ ନଥିଲା । ଶେଷରେ ଏହାକୁ ବିରୋଧ କରି ହୋଟେଲ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଥିଲା । ଶନିବାର ବିଳମ୍ବିତ ରାତିରେ ହୋଟେଲ କର୍ମଚାରୀ ଓ ଗ୍ରାମବାସୀମାନଙ୍କ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣାର ଖବର ପାଇ ତାଳସାରି ସମୁଦ୍ର ଥାନା ପୋଲିସ ପହଞ୍ଚି ରାକେଟର ପର୍ଦ୍ଦାଫାସ କରିଥିଲା । ଏହାସହ ଘଟଣାର ତଦନ୍ତ ମଧ୍ୟ ଚାଲିଥିବା ସୂଚନା ମିଳିଛି ।






