ଯାଜପୁର, (ବାଘୁଆବାର୍ତ୍ତା): ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଜହ୍ନକଣା ଗ୍ରାମରେ ଗୋଷ୍ଠୀ ସଂଘର୍ଷ । ଏଥିରେ ଉଭୟ ପକ୍ଷରୁ ୫ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ଯାଜପୁର ରୋଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନାଯୋଗ୍ୟ ଯେ, ଗତ ୧୩ ତାରିଖ ଦିନ ଏହି ଗ୍ରାମର ଅନାଦି ବିଶ୍ବାଳଙ୍କ ଏକ ଗାଈ ପଡୋଶୀ ପ୍ରତାପ ମହାପାତ୍ରଙ୍କ ଧାନ ବିଲରେ ପଶି ଫସଲ ଖାଇ ଦେଇଥିଲା । ପରେ ଏହାକୁ କେନ୍ଦ୍ରକରି ଉଭୟ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା । ଏହାକୁ ନେଇ ଅନାଦି ପ୍ରତାପଙ୍କ ପରିବାର ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । ତେବେ ଏହାକୁ କେନ୍ଦ୍ରକରି ଶୁକ୍ରବାର ପୁଣି ଉଭୟ ପରିବାର ମଧ୍ୟରେ ଝଗଡ଼ା ହେବା ସହ ଗୋଷ୍ଠୀ ସଂଘର୍ଷ ହୋଇଛି । ଏଥିରେ ଉଭୟ ପରିବାରରୁ ୫ ଜଣ ଆହତ ହୋଇଛନ୍ତି । ଆହତ ବ୍ୟକ୍ତିମାନଙ୍କୁ ଚିକିତ୍ସା ପାଇଁ ଯାଜପୁର ରୋଡ୍ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ଅନାଦିଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଖବର ପାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।






