ଓଡ଼ଗାଁ, (ବାଘୁଆବାର୍ତ୍ତା): ଓଡ଼ଗାଁ ଆଦର୍ଶଥାନା ଅନ୍ତର୍ଗତ ଭାଡ଼ିକିଳା ଗ୍ରାମର ସୁରେନ୍ଦ୍ର କୁମାର ରାଉତଙ୍କ ଘରୁ ଗତ ବୁଧବାର ବିଳମ୍ବିତ ରାତିରେ ଦୁର୍ବୁତ୍ତମାନେ କଳାକନା ବୁଲାଇଛନ୍ତି । ଦୁର୍ବୁତ୍ତମାନେ ବାଡ଼ିପଟ କବାଟ ଭାଙ୍ଗି ନଗଦ ୨୦ ହଜାର ଟଙ୍କା ସମେତ ସୁନା ,ରୁପା ଅଳଙ୍କାର ଲୁଟି ନେଇଛନ୍ତି ।ଲୁଟ ଅଳଙ୍କାର ମଧ୍ୟରେ ରହିଛି ସୁରେନ୍ଦ୍ରଙ୍କ ବୋହୁ ଏବଂ ସ୍ତ୍ରୀର ସୁନାଚୁଡ଼ି ୪ ପଟ, ମଙ୍ଗଳସୁତ୍ର ୧ଟି, କାନଫୁଲ ୨ ହଳ, ରୁପା ପାଉଁଜି ୪ ହଳ ,ସୁନା ମୁଦି ୨ଟି ,ସୁନା ଚେନ ୧ଟି।ଏ ସଂପର୍କରେ ସୁରେନ୍ଦ୍ର ଗତକାଲି ଓଡ଼ଗାଁ ଥାନାରେ ଲିଖିତ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୁଲିସ ଘଟଣାସ୍ଥଳରେ ତଦନ୍ତ କରିବା ସହ ଲୁଟେରାଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି।ସୂଚନାଅନୁଯାୟୀ ସୁରେନ୍ଦ୍ରଙ୍କ ପୁଅ ଏବଂ ବୋହୁ ବୁଧବାର ରାତିରେ ନିଜ ଶଶୁର ଘର ଆରଡ଼ାକୁ ଯାଇଥିବାବେଳେ ସୁରେନ୍ଦ୍ର ଏବଂ ତାଙ୍କ ପତ୍ନୀ ଘରେ ଏକୁଟିଆ ଥିଲେ ।ଏହାର ସୁଯୋଗ ନେଇ ଦୁର୍ବୁତ୍ତମାନେ ବାଡ଼ିପଟ କବାଟ ଭାଙ୍ଗି ଏଭଳି କାଣ୍ଡ ଭିଆଇଥିବା ଜଣାପଡିଛି । ରାତ୍ରି ପ୍ରାୟ ୨ ଘଟିକା ସମୟରେ ସୁରେନ୍ଦ୍ରଙ୍କୁ ପରିସ୍ରା ଲାଗିବାରୁ ବାହାରକୁ ଯିବାବେଳକୁ ବାହାରପଟୁ କବାଟ କିଳି ଦିଆଯାଇଥିବା ଜାଣିବାକୁ ପାଇଥିଲେ ବହୁ କଷ୍ଟରେ କବାଟ ଖୋଲିବାରେ ସମର୍ଥ ହେବା ପରେ ପୁଅ ,ବୋହୂଙ୍କର ଘରର କବାଟ ଖୋଲାଥିବା ସହ ଆଲମିରାଟି ଦେଖିବାକୁ ପାଇନଥିଲେ ।ତତ୍ପରେ ଅନ୍ୟ ଏକ ଘରର କବାଟ ମଧ୍ୟ ଖୋଲା ହୋଇ ଆଲମିରାଟୀ ଗାୟବ ଥିଲା । ବହୁତ ଖୋଜାଖୋଜି ପରେ ନିଜ ପୁଅ ବୋହୁଙ୍କ ଆଲମିରାଟି ବାଡ଼ିପଟ ଭଙ୍ଗା ଅବସ୍ଥାରେ ପଡିବା ସହ ଜିନିଷପତ୍ର ସବୁ ବିଛାଡି ହୋଇ ପଡ଼ିଥିଲା। ପରେ ନିରୁପାୟ ହୋଇ ସୁରେନ୍ଦ୍ର ଓଡ଼ଗାଁ ଆଦର୍ଶଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି ।






