କଟକ, (ବାଘୁଆବାର୍ତ୍ତା): ଦଶହରାରେ କୋଭିଡ୍ କଟକଣା କଡ଼ାକଡ଼ି ଭାବେ ଲାଗୁକରିବା ପାଇଁ ପୁଲିସ ପକ୍ଷରୁ ରାଜ୍ୟବ୍ୟାପୀ ଚଢ଼ଉ କରାଯାଉଛି । ସାମାଜିକ ଦୂରତା ଉଲ୍ଲଂଘନ କରି ଗହଳି କରିବା, ରାତ୍ରିକାଳୀନ କଟକଣା ଉଲ୍ଲଂଘନ, ବେଆଇନ ଗାଡ଼ି ଚାଳନା ଆଦି ବିଭିନ୍ନ ଅଭିଯୋଗରେ ପୁଲିସ ପକ୍ଷରୁ ଜରିମାନା ଆଦାୟ କରାଯାଇଛି । ଦୁଇ ଦିନ ଅର୍ଥାତ୍ ୧୧ ତାରିଖରୁ ୧୩ ତାରିଖ ମଧ୍ୟରେ ରାଜ୍ୟ ପୁଲିସ୍ ବାହିନୀ ପକ୍ଷରୁ ସାରା ରାଜ୍ୟରେ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ଅମାନିଆଙ୍କଠାରୁ ୫୪ ଲକ୍ଷ ୫୪ ହଜାର ଟଙ୍କା ଜରିମାନା ଆଦାୟ କରିଛି । ସେହିପରି କୋଭିଡ୍ କଟକଣା ଉଲ୍ଲଂଘନ ଅଭିଯୋଗରେ ପୁଲିସ୍ ୩୧ ଜଣଙ୍କୁ ଗିରଫ କରିଥିବାବେଳେ ୧୨୦୯ଟି ଗାଡ଼ି ମଧ୍ୟ ଜବତ କରିଛି । ପୁଲିସ ମୁଖ୍ୟାଳୟ ସୂଚନା ଅନୁସାରେ, କୋଭିଡ୍ କଟକଣା ଉଲ୍ଲଂଘନ ଅଭିଯୋଗରେ ୧୧ ରୁ ୧୨ ତାରିଖ ମଧ୍ୟରେ ୨୫ ଲକ୍ଷ ୯୧ ହଜାରରୁ ଅଧିକ ଜରିମାନା ଆଦାୟ ହୋଇଥିବା ବେଳେ ୭୪୬ ଟି ଗାଡ଼ି ଜବତ ହୋଇଛି । ସେହିପରି ୧୨ ତାରିଖ ସକାଳୁ ୧୩ ତାରିଖ ସକାଳ ପର୍ୟ୍ୟନ୍ତ ୮୬୩ ଟି ଗାଡ଼ି ଜବତ ହୋଇଥିବା ବେଳେ ୮ ଲକ୍ଷ ୬୨ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଦଶହରା ଉତ୍ସବ ଶେଷ ହେବା ପର୍ୟ୍ୟନ୍ତ ଏହି ଧରପଗଡ଼ କାର୍ୟ୍ୟକ୍ରମ ରାଜ୍ୟବ୍ୟାପୀ ଚାଲିବ ବୋଲି ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଥାଉକି, ପୂଜାପାର୍ବଣରେ ସଂକ୍ରମଣ ବୃଦ୍ଧିପାଇବାର ଆଶଙ୍କା ଥିବାରୁ କୋଭିଡ୍ କଟକଣା କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ପୁଲିସ ମୁଖ୍ୟାଳୟ ପକ୍ଷରୁ ଜିଲ୍ଲା ଏସ୍ପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷ କରି କୋଭିଡ୍ ନିୟମ ଉଲ୍ଲଂଘନ କରି ବୁଲୁଥିବା ଅମାନିଆଙ୍କ ବିରୋଧରେ ଧରପଗଡ଼ ଓ ଜରିମାନା ଆଦାୟ ଉପରେ ଗୁରୁତ୍ୱ ଦିଆଯାଉଛି । ସେହିପରି ଦୋକାନ ବଜାରରେ ବ୍ୟବସାୟୀମାନେ ଗହଳି ନିୟନ୍ତ୍ରଣ ଏବଂ ସାମାଜିକ ଦୂରତା ରକ୍ଷା ଦିଗରେ ଦୃଷ୍ଟି ନଦେଲେ ସମ୍ପୃକ୍ତ ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକୁ ସିଲ୍ କରାଯିବା ସହ ଜରିମାନା ଆଦାୟ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।






