ଭୁବନେଶ୍ଵର, (ବାଘୁଆବାର୍ତ୍ତା): ଆସନ୍ତା ୪୮ ଘଣ୍ଟାରେ କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗର ସଂଲଗ୍ନ ଅଞ୍ଚଳରେ ଲଘୁଚାପ ଅଞ୍ଚଳ ସୃଷ୍ଟି ହେବ । ଏହାର ପ୍ରଭାବରେ ଆସନ୍ତା ୧୫ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ହେବ । ଆସନ୍ତା ଶୁକ୍ରବାର ବା ଦଶମୀରୁ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ୧୬ ଓ ୧୭ ତାରିଖରେ ବି ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତାକାଲିଠାରୁ ରାଜ୍ୟର କିଛି ସ୍ଥାନରେ କାଁ ଭାଁ ବର୍ଷା ଆରମ୍ଭ ହୋଇଯିବ । ୧୩ତାରିଖରୁ ଉତ୍ତର ଓ ଦକ୍ଷିଣ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ । ୧୪ରେ ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ାର କିଛି ସ୍ଥାନରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ୧୫ ତାରିଖରେ ଉପକୂଳ ଓଡ଼ିଶା ସମେତ କୋରାପୁଟ କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ବୌଦ୍ଧ, ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ ଓ ଢେଙ୍କାନାଳରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ସେହିପରି ୧୬ ତାରିଖରେ ପୁରୀ, ଜଗତସିଂହପୁର, ଗଞ୍ଜାମ ଓ କନ୍ଧମାଳରେ ପ୍ରବଳ ବର୍ଷା ହେବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ ଓ ମୟୂରଭଞ୍ଜରେ ଘଡ଼ଘଡ଼ି ଓ ବିଜୁଳି ସହ ବର୍ଷା ହୋଇପାରେ । ପାଣିପାଗ ବିଭାଗର ସମ୍ଭାବ୍ୟ ଲଘୁଚାପ ବର୍ଷା ପୂର୍ବାନୁମାନକୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍ଆର୍ସି) ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।






