ବାରିପଦା, (ବାଘୁଆବାର୍ତ୍ତା): ରେଳ ବିଭାଗରେ ଚାକିରୀ କରାଇଦେବାକୁ କହି ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୋଗରେ କେନ୍ଦୁଝର ଜୋଡ଼ା ଅଞ୍ଚଳରୁ ଜଣେ ଅଭିଯୁକ୍ତକୁ ବାରିପଦା ଟାଉନ୍ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ କେନ୍ଦୁଝର ଜିଲ୍ଲାର କିଶୋର ଚନ୍ଦ୍ର ବେହେରା । ଅଭିଯୁକ୍ତ ଜଣେ ରେଳ ବିଭାଗର ଅଧିକାରୀ ସହ ଗ୍ରୁପ ସି ଓ ଡି ବିଭାଗର ସିଲେକ୍ସନ କମିଟିର ସଦସ୍ୟ ରହିଥିଲେ। ବରିପଦା ଟାଉନ୍ ଥାନାରେ ୮୫୭/୨୧ କେସ୍ ନମ୍ବରରେ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ ହୋଇଥିଲା। ବାରିପଦା ଟାଉନ ପୋଲିସ ତଦନ୍ତ କରି ଚାରି ଜଣ ଆବେଦନକାରୀଙ୍କ ସାର୍ଟିଫିକେଟ୍ ଓ ପ୍ରମାଣପତ୍ର, ଏସବିଆଇ ବ୍ୟାଙ୍କର ଗୋଟିଏ ଚେକ୍ ଓ ଗୋଟିଏ ମୋବାଇଲ୍ ଫୋନ୍ ଜବତ କରିଛି। ସୂଚନା ଅନୁସାରେ, ବାରିପଦା ଟାଉନ ଥାନା ଅନ୍ତର୍ଗତ ଜାମୁନାଦେଈପୁରର ଗୋପାଳ ଚନ୍ଦ୍ର ମହନ୍ତଙ୍କ ପୁଅ ସଦାନନ୍ଦ ମହାନ୍ତ ଅଭିଯୁକ୍ତ କିଶୋର ଚନ୍ଦ୍ର ମହାନ୍ତଙ୍କ ସହିତ ଗତବର୍ଷ ପରିଚିତ ହୋଇଥିଲେ। ରେଳ ବିଭାଗରେ ଗ୍ରୁପ୍-ସି ଏବଂ ଗ୍ରୁପ୍-ଡି ନିଯୁକ୍ତିରେ ଲାଞ୍ଚ କାରବାର କରି ଅନେକ ପ୍ରାର୍ଥୀଙ୍କୁ ଚାକିରୀରେ ନିୟୋଜିତ କରିଦେବାକୁ କହି ସଦାନନ୍ଦଙ୍କ ପୁଅଙ୍କ ନିକଟରୁ ମୋଟ୍ ୯ ଲକ୍ଷ ୩୧ହଜାର ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା । ଏକ ବର୍ଷ ବିତିଯାଇଥିଲେ ସୁଦ୍ଧା କୌଣସି ଚାକିରୀ କରାଇ ନ ଦେବାରୁ ଥାନାରେ ଲିଖିତ ମାମଲା ରୁଜ୍ଜୁ ହୋଇଥିଲା। ଅଭିଯୁକ୍ତ କିଶୋର ଚନ୍ଦ୍ର ବେହେରା ୪ ବର୍ଷ ପୂର୍ବେ ରେଳବାଇ ଚାକିରୀ ସ୍କାମ୍ ର୍ୟାକେଟରେ ଜଡିତ ଥିଲେ ଏବଂ ସେହି ସମୟରେ ଭୁବନେଶ୍ବର କମିଶନରେଟ୍ ଥାନାରେ ମାମଲା ରୁଜ୍ଜୁ କରି ତାଙ୍କୁ ଗିରଫ କରାଯାଇଥିଲା।






