ବଳିଆ ଓ ବଣି ମଧ୍ୟରେ ନୀବିଡ଼ତାର କାହାଣୀ
ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାର ଅତି ପରିଚିତ୍ର ଫଟୋଗ୍ରାଫର ବଳିଆଙ୍କ ପକ୍ଷୀ ପ୍ରେମକୁ ନେଇ ବେଶ ଚର୍ଚ୍ଚା ହେଉଛି । ଏକ ବଣି ତାଙ୍କ ସହ ଏତେ ମାତ୍ରରେ ଜଡ଼ିତ ହୋଇଯାଇଛି ଯେ, ବଳିଆଙ୍କ ମୁହଁରୁ ଖାଦ୍ୟ ଛଡ଼ାଇ ବଣି ଖାଦ୍ୟ ଖାଉଛି । ତାଙ୍କ ସହ ଖେଳୁଛି, ବୁଲୁଛି । ବଣିକୁ ବଳିଆଙ୍କ ସ୍ନେହ ପ୍ରଭାବିତ କରିଥିବାରୁ ସେ ତାଙ୍କ ଘର ଛାଡ଼ି ଯିବାକୁ ଆଦୌ ଇଚ୍ଛ ପ୍ରକଟ କରି ପାରୁ ନାହିଁ ।

ନୟାଗଡ଼ ଜିଲ୍ଲା ଶରଣକୁଳ କଟରାଝରୀ ଗ୍ରାମର ବଳଭଦ୍ର ସ୍ୱାଇଁ ୧୯୮୭ ମସିହାରୁ ଫଟୋଗ୍ରାଫର ଭାବେ କାର୍ଯ୍ୟ କରି ଆସୁଛନ୍ତି । ପ୍ରଶାସନିକ କାର୍ଯ୍ୟକ୍ରମ ସହ ବିଭିନ୍ନ ସମୟରେ ରାଜନୈତିକ ବୈଠକର ଫଟୋ ସହ ଫ୍ୟାସନ୍ ଫଟୋଗ୍ରାଫିରେ ମଧ୍ୟ ସେ ବେଶ ସିଦ୍ଧହସ୍ତ । ତାଙ୍କର ଫଟୋ ଉଠାଇବା ନିଶା ଏବଂ ପେଶା । ଦୀର୍ଘ ୩୪ ବର୍ଷ ଧରି ଫଟୋ ସହ ଜଡ଼ିତ ଥିବା ବଳିଆ ଘରେ ଶୁଆ ପାଳି ଆସୁଥିଲେ । ଗତ ବର୍ଷା ସମୟରେ ହଠାତ୍ ଏକ ବଣି ଘର ଭିତରକୁ ପଶି ଆସିଥିଲା । ବଳିଆ ବଣିଟିକୁ ଓଦା ଅବସ୍ଥାରେ ଉଦ୍ଧାର କରି ଖାଇବା ପିଇବାକୁ ଦେଇଥିଲେ । ଧିରେ ଧିରେ ବଣିଟି ବଳିଆଙ୍କ ସହ ଏତେ ନୀବିଡ଼ ଭାବରେ ଜଡ଼ିତ ହୋଇଯାଇଛି ଯେ, ସେ ଆଉ ବାହାର ଦୁନିଆକୁ ଯିବାକୁ ଇଚ୍ଛା ପ୍ରକଟ କରୁନାହିଁ ।

ବଳିଆ ଖାଇବା ସମୟରେ ବଣିଟି ତାଙ୍କ ହାତରୁ ଏବଂ ପାଟିରୁ ଖାଦ୍ୟ ଛଡ଼ାଇ ନେଇ ଖାଉଥିବା ଏବଂ ବାଇକରେ ଯିବା ସମୟରେ ମୁଣ୍ଡ, ଦେହରେ ବସି ବୁଲି ଯାଉଥିବା ଦେଖାଯାଇଛି । ବଣି ଏବଂ ବଳିଆଙ୍କ ମଧ୍ୟରେ ଏଭଳି ସ୍ନେହ ଏବଂ ପ୍ରେମ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟପକ୍ଷେ, ନୀରିହ ପଶୁ କିମ୍ବା ପକ୍ଷୀକୁ ଭଲପାଇବା ଦେଲେ ସେମାନେ ମଧ୍ୟ ମଣିଷ ଭଳି ତୁମର ଭାଷା ବୁଝି ପାରିବେ ବୋଲି ବଳିଆ କହିଛନ୍ତି । ଭଲପାଇବା ପାଖରେ ସବୁ ବନ୍ଧା ବୋଲି ସେ କହିଛନ୍ତି ।







