ଚାନ୍ଦପୁର, (ବାଘୁଆବାର୍ତ୍ତା): ରୋଗୀକୁ ଶୋଷଣ କରୁଥିବା ଦଲାଲକୁ ଗିରଫ କଲା ପୁଲିସ । ବିଭିନ୍ନ ସମୟରେ ରୋଗୀ ମାନଙ୍କୁ ବିଭିନ୍ନ ଆଳ ଦେଖାଇ ଲୁଟୁଥିଲା ଦଲାଲ । ଏହାକୁ ନେଇ ନୟାଗଡ଼ ଆରକ୍ଷୀ ଅଧୀକ୍ଷକଙ୍କ କିଛି ଦିନ ତଳେ ଡାକ୍ତରଖାନା ମାନଙ୍କରେ ହେଉଥିବା ଦଲାଲ ମାନଙ୍କୁ ଗିରଫ ପାଇଁ ସମସ୍ତ ଥାନା ଅଧିକାରି ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆଙ୍କ ନିର୍ଦ୍ଦେଶ କ୍ରମେ ଚାନ୍ଦପୁର ପୁଲିସ ଏହାର ତଦନ୍ତ କରି ମେଡିକାଲର ଦଲାଲକୁ ଗିରଫ କରିଛି । ଗିରଫ ହୋଇଥିବା ଦଲାଲ ଜଣକ ଚାନ୍ଦପୁର ଥାନା ଅଧିନରେ ଥିବା କନ୍ଧ ନୟାଗଡ଼ର ସଞ୍ଜିତ ଆଚାର୍ଯ୍ୟ (ସିପା) ବୋଲି ଜଣା ପଡ଼ିଛି । ସୂଚନାନୁସାରେ ନୟାଗଡ଼ ଜିଲ୍ଲା ଚାନ୍ଦପୁରଠାରେ ଥିବା ବସନ୍ତ ମଞ୍ଜରୀ ଡାକ୍ତରଖାନାରେ କନ୍ଧ ନୟାଗଡ଼ ଗ୍ରାମର ସଞ୍ଜିତ ଆଚାର୍ଯ୍ୟ (ସିପା) ବିଭିନ୍ନ ସମୟରେ ଡାକ୍ତରଖାନାକୁ ଆସୁଥିବା ଗରିବ ନିରିହ ରୋଗୀଙ୍କଠାରୁ ବିଭିନ୍ନ ପ୍ରକାର ପରିକ୍ଷା କରାଇ ଦେବା, ଡାକ୍ତରଙ୍କ ପରାମର୍ଶ କରାଇବା, ଔଷଧ ଆଣିଦେବା କହି ଅର୍ଥ ଶୋଷଣ କରୁଥିଲା ଏବଂ ଡାକ୍ତର ପ୍ରଭାତ ସାହୁଙ୍କୁ ମଧ୍ୟ ଧମକ ଦେଇଥିବା ଅଭିଯୋଗ ହୋଇଥିଲା । ଚାନ୍ଦପୁର ଥାନା ଅଧିକାରି ରଶ୍ମିରଞ୍ଜନ ଦାସ ଏବଂ ତାଙ୍କ ଟିମ ଚଢ଼ାଉ କରି ଉକ୍ତ ଯୁବକକୁ ଗିରଫ କରିଛନ୍ତି । ଏନେଇ ଚାନ୍ଦପୁର ଥାନାରେ ୧୩୯/୨୧ ର ମାମଲା ରୁଜ ହୋଇ ତଦନ୍ତ କରି ଚାନ୍ଦପୁର ପୁଲିସ ଅଭିଯୁକ୍ତ ଦଲାଲକୁ ଗିରଫ କରିଛି । ଦଲାଲଙ୍କ ନାମରେ ୩୪୧, ୪୪୮, ୨୯୪, ୩୫୩ ଦଫା ଲଗାଯାଇ ଗିରଫ କରାଯାଇଥିବା ନେଇ ଚାନ୍ଦପୁର ଥାନା ଅଧିକାରି ରଶ୍ମିରଞ୍ଜନ ଦାସ ସୂଚନା ଦେଇଛନ୍ତି ।






