ପୁରୀ, (ବାଘୁଆବାର୍ତ୍ତା): ଶ୍ରୀମନ୍ଦିରସ୍ଥିତ ବାମନ ମନ୍ଦିର ପରିସରରେ ଜଣେ ନାବାଳିକାକୁ ଯୌନ ନିର୍ୟାତନା ଦିଆଯାଇଥିବା ଅଭିଯୋଗ ହୋଇଛି । ଶୁକ୍ରବାର ଅପରାହ୍ନ ୨ଟାରୁ ୩ଟା ମଧ୍ୟରେ ଏଭଳି ଘଟିଥିବା ନେଇ ସିଂହଦ୍ୱାର ଥାନାରେ ଏତଲା ହୋଇଛି । ଏନେଇ ପୁଲିସ ପୋକ୍ସୋ ଆକ୍ଟ ବଳରେ ମାମଲା ରୁଜୁ କରିଛି । ମାମଲାରେ ଜଣେ ପୂଜକଙ୍କୁ ଅଟକ ରଖି ପୁଲିସ ଜେରା କରୁଛି । ଏହି ଘଟଣା ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ପରିସରରେ ଶିଶୁ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୁରୀ ବାହାରର ଜଣେ ଶ୍ରଦ୍ଧାଳୁଙ୍କ ସହ ନାବାଳିକାଟି ଶ୍ରୀମନ୍ଦିର ଆସିଥିଲା । ବାମନ ମନ୍ଦିରରେ ପୂଜକ ଜଣକ ଶିଶୁକୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଶିଶୁର ଅଭିଭାବକ ( ଯାହା ସହ ଆସିଥିଲା) ଏନେଇ ସିଂହଦ୍ୱାର ଥାନାରେ ଅଭିଯୋଗ କରିବା ପରେ ପୁଲିସ ପୂଜକକୁ ଥାନାକୁ ଉଠାଇ ଆଣିଛି । କେଉଁ ପରିସ୍ଥିତିରେ ଏଭଳି ଅଭାବନୀୟ ଘଟଣା ଘଟିଲା ତାହାର ଛାନ୍ଭିନ୍ କରୁଛି ପୁଲିସ ।






