ବାରିପଦା, (ବାଘୁଆବାର୍ତ୍ତା): ବୃଦ୍ଧଙ୍କ ଶବ ରଖି କ୍ଷତିପୂରଣ ଦାବିରେ ରାସ୍ତାରୋକ କଲେ ଗ୍ରାମବାସୀ। ବାରିପଦା ପିଆର୍ ଏମ୍ ମେଡ଼ିକାଲ ବାରଣ୍ଡାରେ ଚିକିତ୍ସିତ ହେଉଥିବା ବେଳେ ଛାତରୁ କଂକ୍ରିଟ୍ ଖସି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ପରିବାର ଲୋକେ ଜିଲ୍ଲା ପ୍ରଶାସନ ଏବଂ ପିଆର୍ ଏମ୍ ମେଡିକାଲ କର୍ତ୍ତୃପକ୍ଷକୁ ଦାୟୀ କରି କ୍ଷତିପୂରଣ ବାବଦରେ ୨୫ ଲକ୍ଷ ଟଙ୍କା ଦାବି କରିଛନ୍ତି। ତେବେ ଜିଲ୍ଲା ପ୍ରଶାସନ କ୍ଷତିପୂରଣ ନଦେବାରୁ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ। ସୂଚନାନୁଯାୟୀ, ଚକ୍ରଧର ସିଂ ନାମକ ଜଣେ ବୃଦ୍ଧ ଗତ କିଛି ଦିନ ତଳେ ବାରିପଦା ପିଆର୍ ଏମ୍ ମେଡ଼ିକାଲରେ ଚିକିତ୍ସା କରାଇବାକୁ ଯାଇଥିଲେ। ହେଲେ ବେଡ଼ ନପାଇ ତଳେ ପିଣ୍ଡାରେ ଚିକିତ୍ସିତ ହେଉଥିଲେ। ସୁସ୍ଥ ହୋଇ ଘରକୁ ଯିବା ପାଇଁ ଡାକ୍ତର ମଧ୍ୟ କହିଥିଲେ। ହେଲେ ବାରଣ୍ଡାରେ ଶୋଇଥିବା ବେଳେ ଛାତରୁ ସିମେଣ୍ଟ କଂକ୍ରିଟ ପଡ଼ି ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ଫଳରେ ତାଙ୍କ ପରିବାର ଲୋକେ ଜିଲ୍ଲା ପ୍ରଶାସନ ଏବଂ ପିଆର୍ ଏମ୍ ମେଡିକାଲ କର୍ତ୍ତୃପକ୍ଷକୁ ଦାୟୀ କରି କ୍ଷତିପୂରଣ ବାବଦରେ ୨୫ ଲକ୍ଷ ଟଙ୍କା ଦାବି କରିଛନ୍ତି। ତେବେ ଜିଲ୍ଲା ପ୍ରଶାସନ କ୍ଷତିପୂରଣ ନଦେବାରୁ ଗ୍ରାମବାସୀମାନେ ଅସ୍ତିଆ ଛକ ନିକଟରେ ବୃଦ୍ଧଙ୍କ ଶବ ରଖି ରାସ୍ତା ଅବରୋଧ କରିଛନ୍ତି। ସେପଟେ ଦାବି ପୂରଣ ନହେଲେ ରାସ୍ତା ଅବରୋଧ ହଟିବ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି।






