୬୭ତମ ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳିତ
ଭୁବନେଶ୍ୱର,(ବାଘୁଆବାର୍ତ୍ତା): ବନ୍ୟଜନ୍ତୁଙ୍କ ସୁରକ୍ଷା, ସଂରକ୍ଷଣ ଓ ଅଭିବୃଦ୍ଧି ସମ୍ବନ୍ଧିତ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିବା, ଏହାର ଦୂରୀକରଣ ନିମନ୍ତେ ଯୋଜନା ପ୍ରସ୍ତୁତ କରିବା ସହ ଏହାର ସଫଳ ରୂପାୟନ ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ଆମମାନଙ୍କର ମୁଖ୍ୟ ଧ୍ୟେୟ ହେବା ଉଚିତ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି । ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିସରରେ ଆୟୋଜିତ ୬୭ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଆରୁଖ କହିଲେ ଯେ ୨୦୧୪ ମସିହାର ବନ୍ଦ ହୋଇଯାଇଥିବା ଟୟ ଟ୍ରେନ୍ ସୁବିଧା ଆଜି ୪ କୋଟି ୯୮ ଲକ୍ଷ ଟଙ୍କା ବ୍ୟୟରେ ପୁଣି ନୂତନ ଭାବେ ଆରମ୍ଭ ହୋଇଛି । ୧୩ କୋଟି ଟଙ୍କା ବ୍ୟୟରେ ଶିଳାନ୍ୟାସ ହୋଇଥିବା ରୋପ୍-େୱ କାର୍ଯ୍ୟ ୧୮ ମାସ ମଧ୍ୟରେ ଶେଷ ହେବ । ମନ୍ତ୍ରୀ ଶ୍ରୀ ଆରୁଖ କହିଛନ୍ତି ଯେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠି ପ୍ରାକୃତିକ ପରିବେଶରେ ତିନୋଟି ପ୍ରଜାତିର କୁମ୍ଭୀର, କଳା ମହାବଳ ବାଘ, ଲକ୍ଷ ଲକ୍ଷ ସଂଖ୍ୟାରେ ବିଦେଶାଗତ ପକ୍ଷୀ, ବିବିଧତାରେ ପରିପୂର୍ଣ୍ଣ ହେନ୍ତାଳ ବନ ଏବଂ ଅଣ୍ଡାଦେବା ପାଇଁ ସୁଦୂର ପ୍ରଶାନ୍ତ ମହାସାଗରରୁ ଆସୁଥିବା ଅଲିଭ୍ ରିଡ୍ଲେ କଇଁଛଙ୍କ ସମାଗମ ଦେଖିବାକୁ ମିଳିଥାଏ । ଆମର ପି୍ରୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟର ଅମୂଲ୍ୟ ବନ୍ୟପ୍ରାଣୀଙ୍କ ସୁରକ୍ଷା, ସଂରକ୍ଷଣ ଓ ଅଭିବୃଦ୍ଧି ପାଇଁ ସର୍ବଦା ଗୁରୁତ୍ୱ ଦେଇ ଆସୁଛନ୍ତି । ବିଭିନ୍ନ ବନ୍ୟଜନ୍ତୁ ଓ ଲୁପ୍ତପ୍ରାୟ ପ୍ରଜାତିର ସଂରକ୍ଷଣ ନିମନ୍ତେ ଆମ ରାଜ୍ୟରେ ୧୯ଟି ଅଭୟାରଣ୍ୟ, ୨ଟି ବ୍ୟାଘ୍ର ପ୍ରକଳ୍ପ, ୩ଟି ହସ୍ତୀ ପ୍ରକଳ୍ପ ଓ ଗୋଟିଏ ଲେଖାଏଁ ଜାତୀୟ ଉଦ୍ୟାନ ଓ ଜୈବମଣ୍ଡଳ ସ୍ଥାପନ କରାଯାଇଛି । ନନ୍ଦନକାନନରେ ଲୁପ୍ତପ୍ରାୟ ୪୯ ପ୍ରଜାତି ସମେତ ୧୫୬ ପ୍ରଜାତି ବନ୍ୟପ୍ରାଣୀଙ୍କ ସଂରକ୍ଷଣ ଓ ଅଭିବୃଦ୍ଧି ନିମନ୍ତେ ସକି୍ରୟ ପଦକ୍ଷେପ ନିଆଯାଇଛି । ରାଜ୍ୟ ସରକାରଙ୍କ ନିଷ୍ଠାପର ଉଦ୍ୟମ ଓ ବିିଭିନ୍ନ ସଂରକ୍ଷଣ କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟରେ ବଉଳା ଓ ମଗର ପ୍ରଜାତିର କୁମ୍ଭୀର, ଇରାୱାଡ଼ି ଓ ବଟଲ୍ ନୋଜ୍ ଡଲ୍ଫିନ୍, କୃଷ୍ଣସାର ମୃଗ, ଚିତାବାଘ ଓ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ଉତ୍ସାହଜନକ ଭାବେ ବୃଦ୍ଧି ପାଇଛି । ଜନମାନସରେ ବଣ ଓ ବନ୍ୟପ୍ରାଣୀଙ୍କ ପ୍ରତି ସଦିଚ୍ଛା ଜାଗ୍ରତ କରିବା ଓ ଜଙ୍ଗଲ ସନ୍ନିକଟ ଗ୍ରାମବାସୀଙ୍କର ଜଙ୍ଗଲ ଉପରେ ନିର୍ଭରଶୀଳତାକୁ ହ୍ରାସ କରିବା ନିମନ୍ତେ ରାଜ୍ୟର ୧୮ଟି ଜିଲ୍ଲାର ୪୭ଟି ସ୍ଥାନରେ ପରିବେଶ ପର୍ଯ୍ୟଟନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇ ସ୍ଥାନୀୟ ଅଧିବାସୀଙ୍କ ନିମନ୍ତେ ଜୀବିକା ସୃଷ୍ଟି କରାଯାଇଛି । ବନ୍ୟଜନ୍ତୁମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କୁ କ୍ଷତିପୂରଣ ଦେବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ‘ଅନୁକମ୍ପା’ ନାମକ ଏକ ପୋର୍ଟାଲ ବିକଶିତ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଆରୁଖ ପ୍ରକାଶ କରିଛନ୍ତି । ଉତ୍ସବରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର (ଉତ୍ତର) ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ ନନ୍ଦନକାନନ ଆଜି ସମଗ୍ର ବିଶ୍ୱରେ ନାମ କମାଇଛି କିନ୍ତୁ ପ୍ରାକୃତିକ ବିପର୍ଯ୍ୟୟ ଏବଂ କରୋନା ମହାମାରୀ ନନ୍ଦନକାନନକୁ ବ୍ୟାପକ କ୍ଷତି ପହଞ୍ଚାଇଥିଲା । ଏସବୁ ସତ୍ତେ୍ୱ ରାଜ୍ୟ ସରକାର ନନ୍ଦନକାନନ ପ୍ରତି ତାଙ୍କର ସଂପୂର୍ଣ୍ଣ ଧ୍ୟାନ ରଖିଛନ୍ତି । ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଧଳାବାଘ ଯୋଗୁଁ ଆଜି ନନ୍ଦନକାନନ ସମଗ୍ର ବିଶ୍ୱରେ ପ୍ରଥମ ସ୍ଥାନରେ ଅଛି ବୋଲି ପ୍ରକାଶ କରିଥିଲେ । ନନ୍ଦନକାନନର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଇଥିବାରୁ ସେ ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ଜଙ୍ଗଲ ଓ ପରିବେଶ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ଲିଙ୍ଗରାଜ ଓତା କହିଲେ ଯେ ବନ୍ୟପ୍ରାଣୀ ସପ୍ତାହ ପାଳନ ହେଉଛି ବନ୍ୟପ୍ରାଣୀଙ୍କ ପ୍ରତି ସ୍ନେହ, ପ୍ରେମ ଓ ଭକ୍ତି ଜାଗ୍ରତ କରିବାର ଅବସର । ବିଭିନ୍ନ ବନ୍ୟପ୍ରାଣୀ ଯୋଜନା ମାଧ୍ୟମରେ ମାନବ-ବନ୍ୟପ୍ରାଣୀ ସଂଘର୍ଷ ଏବଂ ବନ୍ୟପ୍ରାଣୀଜନିତ ବିଭିନ୍ନ ଦୁର୍ଘଟଣାରେ ମାନବ ଏବଂ ବନ୍ୟପ୍ରାଣୀଙ୍କ ମୃତୁ୍ୟ ହାର କମିଛି । ଏହା ଆଗକୁ କିଭଳି ଶୂନ୍ୟ ମୃତାହତରେ ପରିଣତ ହେବ ସେଥିପ୍ରତି ଆମେ ସମସ୍ତେ ବ୍ରତୀ ହେବା ଉଚିତ । ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଶ୍ରୀ ଶିଶିର କୁମାର ରଥ କହିଲେ ଯେ ପ୍ରକୃତି ଉପାସନା କେବଳ ଆମ ରାଜ୍ୟ ପାଇଁ ସଂସ୍କୃତି ନୁହେଁ ଏହା ଆମର ପରମ୍ପରା ଓ ଐତିହ୍ୟ ମଧ୍ୟ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ‘ୱାଇଲଡ୍ ଲାଇଫ୍ ଓଡ଼ିଶା-୨୦୨୧’ ଏବଂ ‘ହ୍ୟାଣ୍ଡବୁକ୍ ଅନ୍ ଡିଜିଜେସ୍ ଅଫ୍ ଆନିମଲ୍ସ୍ ଆଣ୍ଡ ବାଡର୍ସ’ ଶୀର୍ଷକ ଦୁଇଟି ପୁସ୍ତକ ପାଠକାର୍ପିତ ହୋଇଥିଲା । ମନ୍ତ୍ରୀ ଶ୍ରୀ ଆରୁଖ ଶ୍ରୀ ନନ୍ଦକିଶୋର ଭୂଜବଳଙ୍କୁ ରାଜ୍ୟସ୍ତରୀୟ ବିଜୁ ପଟ୍ଟନାୟକ ବନ୍ୟଜନ୍ତୁ ସଂରକ୍ଷଣ ସମ୍ମାନ-୨୦୨୧ରେ ସମ୍ମାନିତ କରିଥିଲେ । ଏଥି ସହ ବକ୍ତୃତା ଓ ଫଟୋଗ୍ରାଫି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ତଥା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶ୍ରୀ ଶଶି ପଲ୍ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ବନ୍ୟପ୍ରାଣୀ ସଂରକ୍ଷକ ଶ୍ରୀ ସତ୍ୟନାରାୟଣ ବେହୁରା ଧନ୍ୟବାଦ ଅର୍ପଣ କରିଥିଲେ ।






