ବୋରିଗୁମ୍ମା, (ବାଘୁଆବାର୍ତ୍ତା): ଦୂଷିତ ପାଣି ନେଲା ଜୀବନ। ଦୂଷିତ ପାଣି ପିଇ ୨୫ରୁ ଉଦ୍ଧ୍ୱର୍ ଗ୍ରାମବାସୀ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୨ଜଣଙ୍କ ଜୀବନ ଯାଈଛି।ଏମିତି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକ ଅନ୍ତର୍ଗତ ଶଶାହାଣ୍ଡି ପଞ୍ଚାୟତର ବାମୁଣିଆଗୁଡା ଗାଁରେ ଘଟିଛି।ଖବର ପାଇବା ପରେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ଗୋଟିଏ ଟିମ୍ ସହ ମନ୍ତ୍ରୀ ପଦ୍ମିନୀ ଦିଆନ ଗାଁରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି।ଗାଁରେ ବ୍ଳିଚିଂ ପାଉଡର ପକାଯିବା ସହ ଆକ୍ରାନ୍ତଙ୍କୁ ବୋରିଗୁମ୍ମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ କେଉଁ କାରଣରୁ ୨ ଜଣଙ୍କ ମୃତ୍ୟୁ ଘଟିଲା ତାହାର ତଦନ୍ତ କରାଯିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି। ସେପଟେ ଗାଁରେ ଲୋକଙ୍କୁ ଔଷଧ ବଣ୍ଟାଯିବା ସହ ରକ୍ତ ନମୁନା ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସଂଗ୍ରହ କରାଯାଇଛି। ଏହି ଗାଁରେ ୧୦୦ରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଥିଲେ ବି ଆବଶ୍ୟକ ବିଶୁଦ୍ଧ ପାଣି ବ୍ୟବସ୍ଥା ନାହିଁ।ତେଣୁ ଗାଁର ଲୋକମାନେ ପରିତ୍ୟକ୍ତ ଅବସ୍ଥାରେ ଥିବା ଦୂଷିତ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଗତ ମାସ ୨୦ ତାରିଖ ଠାରୁ ଏହି ଝାଡା ବାନ୍ତି ଗାଁରେ ଆରମ୍ଭ ହୋଇଥିବା କହିଛନ୍ତି ଗାଁ ଲୋକେ।ସେପଟେ ସ୍ଥିତି ନିୟନ୍ତ୍ରଣାଧିନ ଥିବା ଜିଲ୍ଲା ପ୍ରଶାସନ ତରଫରୁ କୁହାଯାଇଛି।କେବଳ ଏହି ବାମୁଣିଆଗୁଡା ନୁହେଁ କୋରାପୁଟ ଜିଲ୍ଲାର ଅନେକ ଗାଁର ଲୋକ ଏପରି ଦୂଷିତ ପାଣି ପିଇ ଝାଡା ବାନ୍ତିରେ ଆକ୍ରାନ୍ତ ହେଉଛନ୍ତି।ତେଣୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ତରଫରୁ ଦାବି ହେଉଛି।






