ସୋନପୁର, (ବାଘୁଆବାର୍ତ୍ତା): ମା’ଙ୍କ ଶ୍ରାଦ୍ଧରେ ଯୋଗ ଦେବା ପାଇଁ ଗତ ୧ ତାରିଖରେ ଛୁଟି ନେଇ ମିଜୋରାମରୁ ସୋନପୁରର ମଝିପଡ଼ା ସ୍ଥିତ ନିଜ ଘର ଅଭିମୁଖେ ବାହାରିଥିଲେ ଯବାନ ପ୍ରତାପ କୁମାର ନାଏକ । ୩ ତାରିଖରେ ପହଞ୍ଚିବା କଥା। ମାତ୍ର ୭ ତାରିଖ ଯାଏ ପତ୍ତା ମିଳିଲାନି କି ଯୋଗାଯୋଗ ସମ୍ଭବ ହେଲାନି । ଆଉ ଆଜି ଆସିଲା ତାଙ୍କ ମୃତ୍ୟୁ ଖବର। ପ୍ରତାପଙ୍କ ଭାଇ କହିଛନ୍ତି, ସିଆରପିଏଫ ପକ୍ଷରୁ ଆଜି ନାଗାଲାଣ୍ଡରୁ ଉଦ୍ଧାର ଜଣେ ଯବାନଙ୍କ ମୃତଦେହର ଫଟୋ ଆମ ନିକଟକୁ ପଠାଇ ତାହାକୁ ଚିହ୍ନିବା ପାଇଁ କୁହାଗଲା। ଦୁର୍ଭାଗ୍ୟବଶଃତ ସେହି ଫଟୋ ଆମ ଭାଇଙ୍କର ଥିଲା। ଡକାୟତମାନେ ଲୁଟ୍ ଉଦ୍ଦେଶ୍ୟରେ ଭାଇଙ୍କୁ ମାରିଦେଇଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ସୋନପୁର ମଝିପଡାର ପ୍ରତାପ କୁମାର ନାଏକ ୭୮ ସିଆରପିଏଫ୍ ବାଟାଲିୟନରେ ମିଜୋରାମରେ କାର୍ୟ୍ୟରତ ଥିଲେ । ମା’ଙ୍କ ଶ୍ରାଦ୍ଧରେ ଯୋଗ ଦେବାକୁ ସେ ଗତ ୧ ତାରିଖରେ ଛୁଟି ନେଇ ଆସିଥିଲେ । ମାତ୍ର ୩ ତାରିଖରେ ଘରେ ପହଞ୍ଚି ନ ଥିଲେ କି ତାଙ୍କ ସହ କିଛି ଯୋଗାଯୋଗ ହୋଇ ପାରି ନ ଥିଲା। ଏନେଇ ପରିବାର ଲୋକ ପୁଲିସରେ ଓ ସିଆରପିଏଫ୍ କାର୍ୟ୍ୟାଳୟରେ ଅଭିଯୋଗ କରିଥିଲେ । ଏହାପରେ ଆଜି ସନ୍ଦେହଜନକ ଅବସ୍ଥାରେ ନାଗାଲାଣ୍ଡରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ଯବାନଙ୍କ ମୃତ୍ୟୁ ସମ୍ପର୍କରେ ସିଆରପିଏଫ୍ କାର୍ୟ୍ୟାଳୟ ପକ୍ଷରୁ ତାଙ୍କ ପରିବାରକୁ ସୂଚନା ଦିଆଯିବା ସହ ଚିହ୍ନଟ ପାଇଁ ଫଟୋ ପଠାଯାଇଥିଲା। ପ୍ରଦୀପ ନାଏକ କହିଛନ୍ତି, ଭାଇ ଟ୍ରେନ ଚଢ଼ିବା ପରେ ଡକାୟତମାନେ ଲୁଟ୍ ଉଦ୍ଦେଶ୍ୟରେ ତାଙ୍କୁ ଆକ୍ରମଣ କରି ଏପରି କରିଥିବା ଆମେ ଅନୁମାନ କରୁଛି। ତାଙ୍କ ସୁନା ଚେନ୍, ମୁଦି ସବୁ ଲୁଟି ନେଇଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ପରିବାରରେ କାନ୍ଦ ବୋବାଳି ପଡ଼ି ଯାଇଛି। କେଉଁ ପରିସ୍ଥିତିରେ ନାଗାଲାଣ୍ଡରୁ ପ୍ରତାପଙ୍କ ମୃତଦେହ ଉଦ୍ଧାର ହେଲା ସେ ନେଇ ତଦନ୍ତ କରିବା ସହ ନ୍ୟାୟ ଦେବାକୁ ପରିବାର ଲୋକ ଦାବି କରିଛନ୍ତି ।






