ବ୍ରହ୍ମଗିରି, (ବାଘୁଆବାର୍ତ୍ତା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଜିଲ୍ଲା ବ୍ରହ୍ମଗିରିରେ ୧ ହଜାର ୬ କୋଟି ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ ବ୍ରହ୍ମଗିରିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପୁରୀ ଜିଲ୍ଲା ପାଇଁ ୩ ଲକ୍ଷ ୬୪ ହଜାର ହଜାର ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଆଜି ବ୍ରହ୍ମଗିରି ଠାରେ ପୁରୀ ଜିଲ୍ଲା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୩ ଲକ୍ଷ ୬୪ ହଜାର ଲୋକ ଏହି ସୁବିଧା ପାଇବେ । ପୂର୍ବରୁ ମାଲକାନଗିର, ସୁନ୍ଦରଗଡ, ବଲାଙ୍ଗୀର, ଗଜପତି ରେ ଏହି କାର୍ୟ୍ୟକ୍ରମ ଆରମ୍ଭ ହୋଇଛି । ଏହାଦ୍ବାରା ହିତାଧିକାରୀ ମାନେ ବିନା ଖର୍ଚ୍ଚରେ ଉନ୍ନତ ସ୍ବାସ୍ଥ୍ୟ ସେବା ପାଉଛନ୍ତି। ଏହି ଅବସରରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୁରୀ ଜିଲ୍ଲାର ଜନସାଧାରଣ ଆମର ବିକାଶ କାର୍ୟ୍ୟକ୍ରମକୁ ସବୁବେଳେ ଦୃଢ ସମର୍ଥନ ଦେଇ ସରକାରଙ୍କ ହାତମୁଠାରୁ ଟାଣ କରିଛନ୍ତି। ସେଥିପାଇ ପୁରୀବାସୀଙ୍କୁ ଧନ୍ୟବାଦ ଦେବା ସହିତ ଜିଲ୍ଲାବାସୀଙ୍କ ସ୍ନେହ ଓ ଆଦରକୁ ପାଥେୟ କରି ବିକାଶ କାର୍ୟ୍ୟକ୍ରମକୁ ଆହୁରି ଆଗକୁ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ପୁରୀ ଜିଲ୍ଲାର ବିକାଶ ପାଇଁ ନିଆଯାଇଥିବା ବିଭିନ୍ନ ଫ୍ଲାଗ୍ସିପ କାର୍ୟ୍ୟକ୍ରମ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ମହାପ୍ରଭୁଙ୍କ ପବିତ୍ରଧାମ ପୁରୀର ବିକାଶ ହେଉଛି ଆମର ପବିତ୍ର ଦାୟିତ୍ବ । ପିଇବା ପାଣି କାର୍ୟ୍ୟକ୍ରମ ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏବେ ପୁରୀର ଜନସାଧାରଣ ଟ୍ୟାପ୍ରୁ ସିଧାସଳଖ ଫିଲଟର ମାନର ପାଣି ପାଇପାରୁଛନ୍ତି। ଏଭଳି ସୁବିଧା ପାଇବାରେ ପୁରୀ ହେଉଛି ସାରା ଦେଶରେ ପ୍ରଥମ ଏବଂ ପୁରୀବାସୀ ଲଣ୍ଡନ, ନିଉୟର୍କ ଭଳି ସହରର ଲୋକଙ୍କ ଭଳି ସୁବିଧା ପାଉଛନ୍ତି ବୋଲି ସେ କହିଥିଲେ । ସ୍ମାର୍ଟ ହେଲ୍ଥ କାର୍ଡ ଯୋଜନା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହାଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାଦ୍ବାରା ଆମର ଗରିବ ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ୟ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ। କାର୍ୟ୍ୟକ୍ରମରେ ଯୋଜନା ବୋର୍ଡର ଅଧ୍ୟକ୍ଷ ସଂଜୟ ଦାସବର୍ମା କହିଛନ୍ତି, ରାଜ୍ୟ ସରକାର ଜଳସେଚନ ଓ ଜଳ ନିଷ୍କାସନ କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ୧୧ଟି ପଂଚାୟତରେ ମେଗା ଜଳପ୍ରକଳ୍ପ ପାଇଁ ୧୦୦ କୋଟି ଟଙ୍କା ମଂଜୁର କରିଛନ୍ତି। ବ୍ରହ୍ମଗିରିରେ ୮ଟି ବ୍ରିଜ୍ ନିର୍ମାଣ କରିଛନ୍ତି। ଡେଲାଙ୍ଗ ମୁଖ୍ୟ ରାସ୍ତା ପୂର୍ଣ୍ଣ ହୋଇଛି। ରୂପାନ୍ତରିତ କାର୍ୟ୍ୟକ୍ରମରେ ୧୫୧ଟି ସ୍କୁଲ ନିର୍ମାଣ ହେବ। ଏଥିରୁ ବ୍ରହ୍ମଗିରି ବ୍ଲକରେ ୨୬ଟି ସାମିଲ ରହିଛି। ସେହିପରି ବ୍ରହ୍ମଗିରି ବିକାଶରେ ୩ଟି ଗ୍ରୀଡ଼ କାମ ପୂରା ହୋଇଛି। ବ୍ରହ୍ମଗିରିର ୨୭ ଖଣ୍ଡ ଗାଁରେ ସୁରକ୍ଷା ପ୍ରାଚୀର ଆବଶ୍ୟକତା ରହିଛି। ୧୯୯୯ ମସିହା ମହାବାତ୍ୟା ପରେ ବ୍ରହ୍ମଗିରି ବ୍ଲକରେ ଥିବା ୮୨ କିମି ବେଳାଭୂମି ଅଧିକ କ୍ଷତିଗ୍ରସ୍ତ ହୋଇଛି। ଗତ ଫନି ବାତ୍ୟାରେ ପୁରୀ ଜିଲ୍ଲା ପାଇଁ ୧୧୦୦ କୋଟି ଟଙ୍କା ମଂଜୁରୀ କରିଥିଲେ। ଗୋପାଳପୁର-ଦୀଘା କୋଷ୍ଟାଲ ଜାତୀୟ ରାଜପଥକୁ ପୂରା କରିବାରେ ମୁଖ୍ୟମନ୍ତ୍ରୀ ସବୁଜ ସଂକେତ ଦେଇଛନ୍ତି। ପୁରୀ ସାଂସଦ ପିନାକୀ ମିଶ୍ର କହିଥିଲେ, ଚିଲିକା ଉପରେ ବ୍ରିଜ ନିର୍ମାଣ କରାଗଲେ ଏଠାକାର ଲୋକଙ୍କ ପାଇଁ ଆଶୀର୍ବାଦ ସ୍ୱରୂପ ହେବ। ଦଳମତ ଛାଡ଼ି ସମସ୍ତେ ବିକାଶ ପାଇଁ କାମ କଲେ ଭଲ ହୋଇପାରିବ। ଓଡ଼ିଶା ଆଜି ଯାହା ଚିନ୍ତା କରୁଛି, ତାହା ଅନ୍ୟ ରାଜ୍ୟରେ ଲାଗୁ ହେଉଛି। ରାଜ୍ୟ ଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି, ପୁରୀ ଜିଲ୍ଲା ପାଇଁ ଆଜି ଗୁରୁତ୍ୱପୂର୍ଣ୍ଣ ଦିନ। ଓଡ଼ିଶାବାସୀ ଜାଣନ୍ତି, ନବୀନ ବାବୁ ଯାହା କୁହନ୍ତି, ତାକୁ ଅକ୍ଷରେ ଅକ୍ଷରେ ପାଳନ କରନ୍ତି। ସ୍ୱାସ୍ଥ୍ୟ ପାଇଁ ଓଡ଼ିଶା ଯାହା କରୁଛି, ତାହା ଓଡ଼ିଶା ବାହାରେ ନାହିଁ। ପୁରୀବାସୀ ଆମେ ଖୁସି ଯେ, ୯୬ ହଜାର ଘର ମଂଜୁରୀ କରିଛନ୍ତି। କୌଣସି ଗୋଟିଏ ପରିବାରର ଚାଳ ଘର ନରୁହେ, ସେଥିପାଇଁ ମୁଖ୍ୟମନ୍ତ୍ରୀ ପ୍ରୟାସ କରିଛନ୍ତି। ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ୩୩୦୦ ସ୍କୁଲକୁ ରୂପାନ୍ତରିତ କାର୍ୟ୍ୟରେ ପରିଣତ ହେବ। ଭାରତରେ ଓଡ଼ିଶା ୧ ନମ୍ବର ରାଜ୍ୟ ହେବା ପାଇଁ ନବୀନ ପଟ୍ଟନାୟକ ବଡ଼ ଲକ୍ଷ୍ୟ ରଖିଛନ୍ତି। ଖାଦ୍ୟ ଓ ଉପଭୋକ୍ତା ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ କହିଲେ, ଶ୍ରୀକ୍ଷେତ୍ର ପୁରୀ ପାଇଁ ଆଜି ଖୁସି ଖବର। ସ୍ମାର୍ଟ କାର୍ଡ ଯୋଜନାରୁ ସାରା ଓଡ଼ିଶାର ଲୋକେ ଉପକୃତ ହେବେ। ବିଜୁ ସ୍ୱାସ୍ଥ୍ୟ କାର୍ଡ ଓଡ଼ିଶାର ଲୋକଙ୍କ ପାଇଁ ଆଶୀର୍ବାଦ ସଦୃଶ। ନବୀନ ପଟ୍ଟନାୟକ ଏଥି ପାଇଁ ପ୍ରତି ପରିବାରକୁ ୨ଟି ଲେଖାଏଁ କାର୍ଡ ଦେଇଛନ୍ତି। ପୁରୀ ଜିଲ୍ଲାରେ ୩୦ ହଜାର ପରିବାରକୁ ଆଜି ସ୍ୱାସ୍ଥ୍ୟ କାର୍ଡ ଦିଆଯାଉଛି। ଗାଁକୁ କାମ ଓ ମା’ଙ୍କୁ ସମ୍ମାନ ଦେଇଛନ୍ତି ନବୀନ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ମୁନି ଋଷିମାନେ ବହୁ ବର୍ଷ ତପସ୍ୟା କଲେ ମଧ୍ୟ ମାନବ ସେବା ଜାଣି ପାରନ୍ତି ନାହିଁ। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାହା ଜାଣିଛନ୍ତି। ଗଜପତି ଜିଲ୍ଲାର ମୋହନା ବ୍ଲକରେ ମା’ ମାନେ ନବୀନଙ୍କ କାର୍ୟ୍ୟକଳାପକୁ ବହୁ ପ୍ରଶଂସା କରିଛନ୍ତି। ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ବ୍ରହ୍ମଗିରି ଅଂଚଳରେ ଥିବା ବିଭିନ୍ନ ସମସ୍ୟା ଉପସ୍ଥାପାନ କରିଥିଲେ। ବ୍ରହ୍ମଗିରିରେ ଫନି ସମୟରେ ହରାଇଥିବା କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ କରାଯାଉଛି। ଚିଳିକାର ଆରପାଖରେ ଥିବା ୮୦,୦୦୦ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଜୈବବିବିଧତା, ପରିବେଶ, ଡଲଫିନ, ବିଦେଶାଗତ ପକ୍ଷୀ ଅଛନ୍ତି। କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରି ଏହି ସମସ୍ୟାର ସମାଧାନ କରିବାକୁ ଦାବି କରିଥିଲେ। ସେ କହିଥିଲେ ଯେ, କୃଷ୍ଣପ୍ରସାଦରୁ ସାତପଡ଼ା ପର୍ୟ୍ୟନ୍ତ ଯୋଗାଯୋଗ ବ୍ୟବସ୍ଥା କରାଗଲେ ଲୋକେ ଉପକୃତ ହୋଇପାରନ୍ତେ। ଏହି କାର୍ୟ୍ୟକ୍ରମରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ଓଟିଡିଜି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ୫ଟି ସଚିବ ଭିକେ ପାଣ୍ଡିଆନ୍ ଆଦି ଉପସ୍ଥିତ ଥିଲେ।






