ଫୁଲବାଣୀ, (ବାଘୁଆବାର୍ତ୍ତା): ସ୍ଥାନୀୟ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ପଢୁଥିବା ଜଣେ ଛାତ୍ରଙ୍କ ସାପ କାମୁଡାରେ ମୃତ୍ୟୁ ହୋଇଛି । ସୂଚନା ମୁତାବକ, ଗୋଚ୍ଛାପଡା ଥାନା ଅନ୍ତର୍ଗତ ସଲାଗୁଡା ପଞ୍ଚାୟତର ସିଦ୍ଧାନ୍ତ କହଁର ଫୁଲବାଣୀ ସରକାରୀ ମହାବିଦ୍ୟାଳୟରେ ଯୁକ୍ତ ତିନି ଶେଷ ବର୍ଷରେ ପାଠ ପଢ଼ୁଥିଲେ । ସେ ଦୁଇ ଜଣ ସାଙ୍ଗଙ୍କ ସହିତ ମିଶି କଲେଜ ନିକଟରେ ଥିବା ରୁଜାଙ୍ଗି ନେଡିସାହିରେ ଏକ ଭଡାଘରେ ରହୁଥିଲେ । ବୁଧବାର ବିଳମ୍ବିତ ରାତିରେ ସିଦ୍ଧାନ୍ତଙ୍କ ଡାହାଣ ହାତକୁ ଏକ ଚିତିସାପ କାମୁଡି ଦେଇଥିଲା । ତାଙ୍କୁ ତୁରନ୍ତ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି । ସଦର ଥାନା ପୁଲିସ ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଛି । ଏ ନେଇ ସଦର ଥାନାରେ କେସ ନଂ୨୬/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇଛି ।






