ନୟାଗଡ଼, (ବାଘୁଆବାର୍ତ୍ତା): ସଂପ୍ରତି ଜିଳ୍ଲା ଆଇନ ସେବା ପ୍ରାଧିକରଣ ନୟାଗଡ଼ଙ୍କ ପକ୍ଷରୁ ସ୍ଥାନୀୟ ସିନ୍ଦୁରିଆ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ଆଇନ ସଚେତନତା ଶିବର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଚେତନତା ଶିବିରରେ ମୁଖ୍ୟ ଅତିଥି ଭାବରେ ନୟାଗଡ଼ ଜିଲ୍ଲା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଜ୍ଞା ପରମିତା ମହାପାତ୍ର ଯୋଗଦେଇ ଆଇନ ସେବା ଆମରି ପାଇଁ ଶୀର୍ଷକ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଆଇନରେ ଥିବା ବିଧି ବ୍ୟବସ୍ଥା ଓ ଏହାର ଉପକାରିତା ସଂପର୍କରେ ପରାମର୍ଶ ପ୍ରଦାନ କରିଥିଲେ । ସେହିପରି ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ରଞ୍ଜୁଲତା ଲେଙ୍କା ମାଗଣା ଆଇନ ସେବା, ସାହାଯ୍ୟ, ପରାମର୍ଶ ସଂପର୍କରେ ସୁଚନା ଦେଇଥିବାବେଳେ ସବ୍ ଜଜ ପବିତ୍ରାନନ୍ଦ ପ୍ରଧାନ ଦେୱାନି ଫୌଜଦାରି ସମେତ ବହୁ ଆଇନ କାନୁନର ସ୍ଥିତି, ବ୍ୟବସ୍ଥା ଓ ଏହାର ଉପକାରୀତା ସଂପର୍କରେ ସୁଚନା ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ, ପ୍ରାଧ୍ୟାପକ ଉମର ମଲ୍ଲିକ, ଆଇନଜିବି ଆସଫ ଅଲ୍ଲି ଅହମ୍ମଦଙ୍କ ସମେତ ବହୁ ଜନସାଧାରଣ ଓ ମହିଳା ଯୋଗ ଦେଇଥିଲେ । ପୂର୍ବାହ୍ନରେ ସ୍ଥାନୀୟ ଖୁଣ୍ଟୁବନ୍ଧ ଠାରେ ଥିବା ସବଜେଲରେ ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏକ ସ୍ୱତନ୍ତ୍ର ଜେଲ ଅଦାଲତ ଅନୁଷ୍ଠିତ ହୋଇଥିଲା । ସେଥିରେ ୫ ଗୋଟି ଫୌଜଦାରି କେଶ ଆଗତ କରାଯାଇଥିଲା । ମାତ୍ର କୌଣସି ଆସାମୀ ନିଜ ନିଜର ଦୋଷ ସ୍ୱୀକାର କରିନଥିବାରୁ ମାମଲା ଫଇସଲା ହୋଇ ପାରିନଥିଲା । ଶେଷରେ ଏକ ଆଇନ ସଚେତନତା ଶିବିର ଆୟୋଜନ କରାଯାଇ ଅନ୍ତେବାସୀ ମାନଙ୍କୁ ଆଇନ ସେବା, ସାହାଯ୍ୟ ଓ ପରାମର୍ଶ ଯୋଗାଇ ଦିଆଯାଇଥିଲା । ଉକ୍ତ ଲୋକ ଅଦାଲତରେ ମଣ୍ଡଳ ନ୍ୟାୟଧୀଶା ବବିତା ପାତ୍ର ଓ ନ୍ୟାୟ ଅଧିକାରି ଗ୍ରାମ୍ୟ ନ୍ୟାୟାଳୟ ଓଡ଼ଗାଁ ପ୍ରମୁଖ ଯୋଗଦେଇଥିଲେ । ଆଇନଜୀବି ପ୍ରଶାନ୍ତ ପଟ୍ଟନାୟକ, ଆସଫ ଅଲ୍ଲୀ ଓ ନୟାଗଡ଼ ଜେଲ ଅଧିକ୍ଷକ, ସହ ଅଧିକ୍ଷକ ପ୍ରମୁଖ ସହାୟତା ପ୍ରଦାନ କରିଥିଲେ ।






