ନୀଳଗିରି, (ବାଘୁଆବାର୍ତ୍ତା): ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟେମ୍ପୋ-ବାଇକ୍ ମୁହାଁମୁହିଁ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବାଲେଶ୍ୱର ଜିଲ୍ଲା ସେରଗଡ଼-ଉଦଳା ରାଜ୍ୟପଥ ନୀଳଗିରି ନିକଟରେ ଘଟିଛି ଦୁର୍ଘଟଣା । କ୍ଷତିପୂରଣ ଦାବିରେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ଖବର ଅନୁଯାୟୀ, ନୀଳଗିରି ପଟୁ ଏକ ତିନି ଚକିଆ ଟେମ୍ପୋ ଦ୍ରୁତ ଗତିରେ ଆସୁଥିଲା । ଏହି ସମୟରେ ସାମ୍ନା ପଟୁ ଆସୁଥିବା ୨ ବାଇକ୍ ଭାରସାମ୍ୟ ହରାଇ ଟେମ୍ପୋ ସହିତ ମୁହାଁମୁହିଁ ଧକ୍କା ହୋଇଥିଲେ । ଟେମ୍ପୋଟି ରବିନ୍ଦ୍ରଙ୍କ ଉପରେ ଚଢିଯାଇ ଆଗରେ ଓଲଟି ପଡିଥିଲା । ଯାହାଫଳରେ ରବିନ୍ଦ୍ରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ମୃତକ ସିମୁଳିଆ ଗାଁର ରବିନ୍ଦ୍ର ମହଲ ଗୁରୁତର ହୋଇଥିବା ବେଳେ କାହାଳିଆ ଗାଁର ସତ୍ୟରଞ୍ଜନ ନାୟକ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଘଟଣାସ୍ଥଳରେ କ୍ଷତିପୂରଣ ଦାବିରେ ଉତ୍ତେଜନା ଲାଗି ରହିଥିବା ବେଳେ ରାସ୍ତାରୋକ କରାଯାଇଛି । ନୀଳଗିରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।






