କରଞ୍ଜିଆ, (ବାଘୁଆବାର୍ତ୍ତା): ପୁଣି ଜନନୀ ଯନ୍ତ୍ରଣା। ରାସ୍ତା ଭଲ ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଭାଲିଆଡାଳ ଗ୍ରାମ ବେଣୁଆଦର ସାହିରେ ଦେଖିବାକୁ ମିଳିଛି ବିକାଶର ଏଭଳି ବିକଳ ଚିତ୍ର। ପ୍ରାୟ ୨ କି.ମି ଖଟିଆରେ ବୁହା ହୋଇ ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ଡାକ୍ତରଖାନା କେନ୍ଦ୍ରକୁ ଆସିଛନ୍ତି ଗର୍ଭବତୀ। ସୂଚନାନୁଯାୟୀ, ବେଣୁଆଦର ସାହିର ରାମ ପୂର୍ତ୍ତିଙ୍କ ଗର୍ଭବତୀ ସ୍ତ୍ରୀ ସମ୍ବାରି ପୂର୍ତ୍ତିଙ୍କ ଗର୍ଭ ଯନ୍ତ୍ରଣା ହେଉଥିବାରୁ ସ୍ୱାମୀ ରାମ ଫୋନ୍ ଯୋଗେ ୧୦୮ ଆମ୍ବୁଲାନ୍ସକୁ ଡାକିଥିଲେ। ମାତ୍ର ରାସ୍ତା ଅତି ଖରାପ ଥିବାରୁ ଆମ୍ବୁଲାନ୍ସ ଭାଲିଆଡାଳ ଠାରୁ ବେଣୁଆଦରକୁ ପ୍ରାୟ ୨ କି.ମି ଦୂରରେ ଅଟକି ରହିଥିଲା। ଫଳରେ ଗର୍ଭ ଯନ୍ତ୍ରଣା ପାଉଥିବା ସମ୍ବାରିକୁ ଶେଷରେ ଗ୍ରାମବାସୀମାନେ ଏକ ଖାଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ ଓ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଠାକୁରମୁଣ୍ଡା ମେଡିକାଲରେ ସମ୍ବାରି ଏକ କନ୍ୟା ସନ୍ତାନ ପ୍ରସବ କରିଥିବା ବେଳେ ସ୍ୱାସ୍ଥ୍ୟକେନ୍ଦ୍ରରେ ମା ଓ ଜନ୍ମିତ ଶିଶୁର ଅବସ୍ଥା ଭଲ ଥିବାର ଜଣାଯାଇଛି। ତେବେ ଗାଁକୁ ଖଣ୍ଡିଏ ରାସ୍ତା ନଥିବାରୁ ସ୍ତାନୀୟ ଲୋକମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ତେଣୁ ଏହି ଦୁର୍ଗମ ଅଞ୍ଚଳକୁ ଖଣ୍ଡିଏ ଭଲ ରାସ୍ତା କରିଦେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।






