କେନ୍ଦୁଝର, (ବାଘୁଆବାର୍ତ୍ତା): ବୈଷୟିକ ପ୍ରଶିକ୍ଷଣ କାର୍ୟ୍ୟକ୍ରମ ପାଇଁ ଲଗାଉଥିଲେ ବ୍ୟାନର୍। ହେଲେ ବ୍ୟାନର୍ ଲଗାଇବା ହେଲା କାଳ। ସିଡିରେ ଚଢ଼ି ବ୍ୟାନର୍ ଲଗାଉଥିବା ବେଳେ ଲାଗିଲା ଜବରଦସ୍ତ ବିଦ୍ୟୁତ ଝଟକା। ଆଉ ଚାହୁଁ ଚାହୁଁ ଚାଲିଗଲା ଛାତ୍ରର ଜୀବନ। ଆଜି ଏମିତି ଏକ ବଡ଼ ଅଘଟଣ ଘଟିଛି କେନ୍ଦୁଝର ଜିଲ୍ଲା ବଡ଼ବିଲ ଆଇଟିଆଇରେ। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି। ସେହିପରି ଆଉ ଜଣେ ଛାତ୍ର ଗୁରୁତର ଭାବେ ଆହତ ହୋଇଛନ୍ତି। ସୂଚନାରୁ ଜଣାପଡିଛି ଯେ, ଆଜି ବଡ଼ବିଲ ଆଇଟିଆଇ ପରିସରରେ ଏକ ବୈଷୟିକ ପ୍ରଶିକ୍ଷଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ୟ୍ୟକ୍ରମ ପାଇଁ ଦୁଇଜଣ ଛାତ୍ର ବ୍ୟାନର୍ ଲଗାଉଥିବା ବେଳେ ଏହି ଅଘଟଣ ଘଟିଥିଲା। ତେବେ ଦୁଇ ଛାତ୍ର ଏକ ଲୁହା ସିଡି ଦ୍ୱାରା ଏହି ବ୍ୟାନର ଲଗାଉଥିଲେ। ହେଲେ ଉପରେ ଯାଇଥିବା ୧୧କେଭି ତାର ସେହି ସିଡିରେ ଲାଗିଯିବାରୁ ଉପରେ ଚଢ଼ିଥିବା ଛାତ୍ର ସରୋଜ ଘଣା ତଳେ ପଡି ଯାଇଥିଲେ। ଅନ୍ୟ ଜଣେ ବି ଗୁରୁତର ହୋଇଥିଲେ। ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଏହା ପରେ ସେମାନଙ୍କୁ ବଡ଼ବିଲରୁ ଯୋଡା ଟିସ୍କୋ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଡାକ୍ତର ସରୋଜଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଜଣେ ଏବେବି ଟିସ୍କୋ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ମୃତ ସରୋଜ ଫିଟର ଟ୍ରେଡରେ ପଢ଼ୁଥିବା ବେଳେ ତାଙ୍କ ଘର ମୟୁରଭଞ୍ଜ ଜିଲ୍ଲାରେ ବୋଲି ଜଣାପଡିଛି। ଖବର ପାଇ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏଭଳି ଅଘଟଣ କେମିତି ଘଟିଲା, ତା’ର ତଦନ୍ତ ହେବା ପରେ ପୂରା ମାମଲା ସାମ୍ନାକୁ ଆସିବ।






