ସମ୍ବଲପୁର, (ବାଘୁଆବାର୍ତ୍ତା): ଅଇଁଠାପାଲି ଥାନା ଅନ୍ତର୍ଗତ ଜଗନ୍ନାଥ କଲୋନିଛକରେ ଥିବା ଏକ ଔଷଧ ଦୋକାନ କେଜିଏମ୍ ମେଡିକାଲର ସଟର ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି ମାମଲାକୁ ଇତି ମଧ୍ୟରେ ୨୦ ଦିନ ବିତିଲାଣି । ଚୋର ଆସିବା ସହ ସଟର ତାଲା କାଟିବା, ଦୋକାନରେ କଳାକନା ବୁଲାଇବାର ତମାମ୍ ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି । ଏହି ଘଟଣାରେ ଅଭିଯୁକ୍ତଙ୍କ ମୁହଁ ସ୍ପଷ୍ଟ ଭାବେ ବାରି ହୋଇ ପଡ଼ୁଥିବା ସତ୍ତେ୍ୱ ପୁଲିସ୍ ସେମାନଙ୍କୁ ଗିରଫ କରିନପାରିବା ଆଶ୍ଚର୍ୟ୍ୟର ବିଷୟ ପାଲଟିଛି । ନୂଆଖାଇ ରାତିରେ ଏହି ଚୋରି ହୋଇଥିବା ବେଳେ ସେଦିନ ପ୍ରାୟ ସମସ୍ତ ଛକରେ ପୁଲିସ୍ର ବ୍ଲକିଂ ଓ ଚେକିଂ ଜାରି ରହିଥିଲା । ଯେଉଁ ଦୋକାନ ସମ୍ମୁଖରୁ ଉକ୍ତ ଚୋରି ହୋଇଛି ସେଠାରୁ କିଛି ଦୂରତାରେ ୨ ଜଣ ହୋମ୍ଗାର୍ଡ ବର୍ଷ ତମାମ୍ ଡ୍ୟୁଟିରେ ରହୁଛନ୍ତି । ତଥାପି ମଧ୍ୟ ଦୁର୍ବୃତ୍ତମାନେ ରାତି ପ୍ରାୟ ଅଢ଼େଇଟା ବେଳେ ଦୋକାନ ସମ୍ମୁଖକୁ ଯାଇ ପ୍ରାୟ ଅଧଘଣ୍ଟା ଧରି ସଟର ତାଲା କାଟିଥିଲେ । ଏହାପରେ ସଟର ଖୋଲି ସେମାନେ ଭିତରକୁ ପଶିବା ସହ ଲାଇଟ୍ ଜାଳି ଟଙ୍କା ଖୋଜିଥିଲେ । ଟଙ୍କା ନମିଳିବାରୁ କ୍ୟାସ୍ ବକ୍ସର ତାଲା ଭାଙ୍ଗିବା ସହ ଟଙ୍କା ଓ କିଛି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ବି ନେଇ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ । ପ୍ରାୟ ୧ ଘଣ୍ଟା ଧରି ଛକ ଉପରେ ଥିବା ଦୋକାନରେ ଚୋରଙ୍କ ଏହି କାର୍ନାମା ଚାଲିଥିବା ସତ୍ତେ୍ୱ ଉକ୍ତ ରାସ୍ତା ଦେଇ ଯାଉଥିବା ପୁଲିସ୍ ପାଟ୍ରୋଲିଂ ଗାଡ଼ି କି କାହାର ନଜର ତାହା ଉପରେ ପଡ଼ିନଥିଲା । ପରଦିନ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଜବତ କରିବା ସହ ଏକ ଚୋରି ମାମଲା ରୁଜୁ କରିଥିଲା । ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳକୁ ଯାଇଥିଲା । କିନ୍ତୁ ସିସିଟିଭିରେ ଚୋରଙ୍କ ମୁହଁ ସ୍ପଷ୍ଟ ଭାବେ ବାରି ହେଉଥିବା ସତ୍ତେ୍ୱ ସେମାନେ ପୁଲିସ୍ ରାଡାର୍କୁ ନଆସିବା ପୁଲିସ୍ର କାର୍ୟ୍ୟକାରିତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି ।






