ଭୁବନେଶ୍ବର, (ବାଘୁଆବାର୍ତ୍ତା): ରାଜ୍ୟର ୪ଟି ଶିଳ୍ପାଞ୍ଚଳର ପୁନରୁଦ୍ଧାର କରିବ କେନ୍ଦ୍ର ସରକାରଙ୍କ କୁଟୀର, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍ଏସ୍ଏମଇ)। ଇଡକୋ ଜରିଆରେ କରାଯାଉଥିବା ଏହି କାର୍ୟ୍ୟ ପାଇଁ ପ୍ରତ୍ୟେକ ଶିଳ୍ପାଞ୍ଚଳକୁ ୮ କୋଟି ଟଙ୍କା ଦିଆଯାଇ ଏକ ବର୍ଷ ମଧ୍ୟରେ କାର୍ୟ୍ୟ ସମାପ୍ତ କରାଯିବ। ଏଥିସହିତ ରାଜ୍ୟରେ ଆହୁରି ନୂତନ ଶିଳ୍ପାଞ୍ଚଳ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଥିବା କହିଛନ୍ତି ଏମ୍ଏସ୍ଏମ୍ଇ ସଚିବ ବିଦ୍ୟୁତ ବିହାରୀ ସ୍ବାଇଁ ଏବଂ ନିର୍ଦେଶକ ମହମ୍ମଦ ସାଜିଦ ଆଲମ। ବାଲେଶ୍ବର କତା ବୋର୍ଡ କାର୍ୟ୍ୟାଳୟ ଉଦଘାଟନ ପାଇଁ ଶୁକ୍ରବାର ସଚିବ ଶ୍ରୀ ସ୍ବାଇଁ ଓଡ଼ିଶା ଆସିଥିଲେ। ଏହି ଅବସରରେ ଶନିବାର କେନ୍ଦ୍ର ସରକାରଙ୍କ ଏମ୍ଏସ୍ଏମ୍ଇ ଅଧୀନ ଖଦି ଗ୍ରାମୋଦ୍ୟୋଗ, କତା ବୋର୍ଡ, ତାଳଗୁଡ଼ ଅନ୍ତର୍ଗତରେ କାର୍ୟ୍ୟ କରୁଥିବା ପ୍ରକଳ୍ପର ସମୀକ୍ଷା କରିଥିଲେ। ଏହି ଅବସରରେ ଖଦି ଗ୍ରାମୋଦ୍ୟୋଗ କାର୍ୟ୍ୟାଳୟ ନିର୍ଦେଶକ ସମୀର ମହାନ୍ତିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ସଚିବ ଶ୍ରୀ ସ୍ବାଇଁ କହିଥିଲେ, ଗ୍ରାମୋଦ୍ୟୋଗ ଶିଳ୍ପ ପାଇଁ ମାର୍କେଟିଂ ବଡ଼ ଚ୍ୟାଲେଞ୍ଜ ହୋଇଛି। ଏଥିପାଇଁ ଦେଶର ୪ଟି ସ୍ଥାନରେ ଡିଜାଇନ ସେଣ୍ଟର ପ୍ରତିଷ୍ଠା କରାଯାଉଛି। ଏଥି ଜରିଆରେ କୁଟୀର ଶିଳ୍ପଦ୍ୟୋଗୀମାନଙ୍କୁ ଡିଜାଇନ, ପ୍ୟାକେଜିଂ ପ୍ରଶିକ୍ଷଣ ସହିତ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ରାସ୍ତା ଖୋଜାଯିବ। ବର୍ତ୍ତମାନ ରାଜ୍ୟରେ କେନ୍ଦ୍ର ସରକାରଙ୍କ ଖଦି ଗ୍ରାମଦ୍ୟୋଗ ଶିଳ୍ପର ସ୍ପୂର୍ତ୍ତି ଏବଂ ଆସ୍ଫା ଭଳି ପ୍ରକଳ୍ପ ଅନ୍ତର୍ଗତରେ ପରିଚାଳିତ ମିଲେଟ, ଷ୍ଟୋନ କ୍ଲଥ ଷ୍ଟୋର, ଟେରାକୋଟା, ଟସର, ଛତୁଆ, ତାଳଗୁଡ଼ ସମେତ ବିଭିନ୍ନ ପ୍ରକାର ପ୍ରକଳ୍ପ କାର୍ୟ୍ୟ ସଚିବ ବୁଲି ଦେଖିଥିଲେ। ସେ କହିଥିଲେ, ଏହି ସବୁ ପ୍ରକଳ୍ପ ଜରିଆରେ ଆଭ୍ୟନ୍ତରୀଣ ଅଞ୍ଚଳର ଶିଳ୍ପଦ୍ୟୋଗୀ, ମହିଳାମାନେ ଲାଭାନ୍ବିତ ହେଉଛନ୍ତି। ଏଥିସହିତ କ୍ଲଷ୍ଟର ଡେଭଲପମେଣ୍ଟ ପ୍ରୋଜେକ୍ଟ ଜରିଆରେ ୨୦ରୁ ୨୫ କୋଟି ନିବେଶରେ ବଡ଼ ଉଦ୍ୟୋଗ କାର୍ୟ୍ୟ କରୁଛି। ଉଦ୍ୟୋଗୀମାନଙ୍କୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ସହାୟତା କରୁଛନ୍ତି। ଅଧିକରୁ ଅଧିକ ଉଦ୍ୟୋଗୀମାନେ କ୍ଷୁଦ୍ର ଏବଂ କୁଟୀର ଶିଳ୍ପକୁ ଆସିବେ ଏଥିପାଇଁ ଗୁରୁତ୍ବ ଦିଆଯାଉଛି। ଏଥି ଅନ୍ତର୍ଗତରେ ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଓଡ଼ିଶାରେ କ୍ଷୁଦ୍ର ଶିଳ୍ପ ପ୍ରତି ସୁଯୋଗ ରହିଛି। ଏଥିରେ କୁଟୀର ଶିଳ୍ପକୁ ବେଶି ଗୁରୁତ୍ବ ଦିଆଯାଉଥିବା ଶ୍ରୀ ସ୍ବାଇଁ କହିଛନ୍ତି। ଏହି ଅବସରରେ ଖଦି ଗ୍ରାମୋଦ୍ୟୋଗ କମିସନ କାର୍ୟ୍ୟାଳୟ ପରିସରରେ କ୍ଷୁଦ୍ର ଏବଂ କୁଟୀର ଶିଳ୍ପ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଏଥିରେ ଜଟଣୀରୁ ଟେରାକୋଟା, ଖୋର୍ଧା ପିଚୁକୋଳିରୁ ମା’ ଦୁର୍ଗା ଖଦି, କେନ୍ଦ୍ରାପଡ଼ାର ଚିତ୍ରୋତ୍ପଳା ଖଦି, ତାଳଗୁଡ଼ ସମବାୟ ସମିତି ପ୍ରମୁଖ ସାମିଲ ହୋଇଥିଲେ।






