ସମ୍ବଲପୁର, (ବାଘୁଆବାର୍ତ୍ତା): ଆଜି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୨ ତମ ଜନ୍ମ ଜୟନ୍ତୀ । ସାରା ଦେଶ ଏହି ଦିନକୁ ଅହିଂସାର ଦିବସ ଭାବେ ପାଳନ କରୁଛି । ବାପୁଙ୍କୁ କୃତଜ୍ଞ ଦେଶ ମନେ ପକାଇବ । ଆଉ ଏହି କ୍ଷଣରେ ମନେ ପଡିବ ଦେଶର ପ୍ରଥମ ଗାନ୍ଧୀ ମନ୍ଦିର । ସମ୍ବଲପୁର ସହରର ଭତ୍ରାସ୍ଥିତ ଗାନ୍ଧୀ ମନ୍ଦିରରେ ପୂଜା ପାଉଥିବା ମହାତ୍ମାଙ୍କୁ ସମସ୍ତେ ମନେ ପକାଉଛନ୍ତି । ହେଲେ ଏହି ମନ୍ଦିରର ପୂଜାରୀଙ୍କୁ କିନ୍ତୁ ଆଉ ଦେଖିବାକୁ ମିଳିବନି । ଏହାର ପ୍ରତିଷ୍ଠାତା ସ୍ୱର୍ଗତ ଅଭିମନ୍ୟୁ କୁମ୍ଭାର ଗତବର୍ଷ ଠାରୁ ଆରପାରିକୁ ଚାଲି ଯାଇଥିବା ବେଳେ ଏବେ ତାଙ୍କ ଅନୁପସ୍ଥିତି ଗାନ୍ଧୀ ମନ୍ଦିରକୁ ଆସୁଥିବା ପ୍ରତିଟି ଚିନ୍ତାଶୀଳ ବ୍ୟକ୍ତିଙ୍କୁ ନିଶ୍ଚିତ ଭାବେ ଅନୁଭବ ହେବ । ଜାତିର ପିତା ମହାତ୍ମା ଗାନ୍ଧୀ ଭାରତରୁ ଆରମ୍ଭ କରି ସାରା ବିଶ୍ୱରେ ଅହିଂସାର ପୂଜାରୀ ଭାବେ ଚିର ବନ୍ଦନୀୟ ହୋଇ ରହିଛନ୍ତି । ତାଙ୍କର ଆଦର୍ଶକୁ ଆଜି ବି ବିଶ୍ୱର ପ୍ରତିଟି ଦେଶ ଶ୍ରେଷ୍ଠ ମାନବବାଦ ଭାବେ ଗ୍ରହଣ କରିଆସିଛି । ତେବେ, ଦୀର୍ଘ ୫ ଦଶନ୍ଧି ପୂର୍ବରୁ କେହି କେବେ ଚିନ୍ତା କରିବା ପୂର୍ବରୁ ସମ୍ବଲପୁର ମାଟିରେ ଗାନ୍ଧୀ ଦିଅଁ ଦେବତା ସାଜି ସାରିଥିଲେ । ୫ ଦଶନ୍ଧି ପୂର୍ବରୁ ବି ଅସ୍ପୃଶ୍ୟତା ଅନେକ ମାତ୍ରାରେ ବସା ବାନ୍ଧିଥିଲା । ଏହା ଦଳିତ ସଂପ୍ରଦାୟର ଅଭିମନ୍ୟୁଙ୍କୁ ବି ବେଶ୍ ବ୍ୟଥିତ କରୁଥିଲା । ଆଉ ସେ ପ୍ରଥମ କରି ରେଢାଖୋଲର ବିଧାୟକ ହେବା ପରେ ୧୯୭୧ ମସିହାରେ ତାଙ୍କ ପଡାରେ ଗାନ୍ଧୀ ମନ୍ଦିର ନିର୍ମାଣ କରିବାକୁ ମନସ୍ଥ କରିଥିଲେ । ଅନେକ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ୩ ବର୍ଷରେ ଏହାର ନିର୍ମାଣ ସରିଥିଲା । ଆଉ ୧୯୭୪ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଦ୍ୱାରା ଏହାର ଉଦଘାଟନ ହୋଇଥିଲା । ଏଠାରେ ଜଗନ୍ନାଥଙ୍କ ସହିତ ମହାତ୍ମା ଗାନ୍ଧୀ ବି ଧୂପ ଦୀପ ନୈବେଦ୍ୟରେ ପୂଜା ପାଇ ଆସୁଛନ୍ତି । ଆଉ ପ୍ରାର୍ଥନାରେ ଗାନ୍ଧୀଙ୍କ ପ୍ରିୟ ଭଜନ ରାମଧୁନ୍ ଏଠି ବର୍ଷତମାମ ଶୁଣିବାକୁ ମିଳିଥାଏ । ତେବେ, ଅଭିମନ୍ୟୁ ସକ୍ରିୟ ରାଜନୀତିରୁ ଦୀର୍ଘ ବର୍ଷ ପୂର୍ବରୁ ସନ୍ୟାସ ନେଇସାରିଥିବା ବେଳେ ଜୀବନର ଶେଷ ପର୍ୟ୍ୟନ୍ତ ଏହି ମନ୍ଦିରରେ ନୀତି ଗାନ୍ଧୀଙ୍କୁ ମୁଣ୍ଡିଆ ମାରି ଆସୁଥିଲେ । ଏପରିକି ଦିନବେଳା ମନ୍ଦିର ସମ୍ମୁଖ ବାରଣ୍ଡାରେ ବି ଅଧିକାଂଶ ସମୟ ବସୁଥିବା ସମସ୍ତେ ଦେଖିଛନ୍ତି । ତେବେ, ଗତବର୍ଷ ଜୁଲାଇ ୨୬ ତାରିଖରେ ଏହି ଅହିଂସା ମନ୍ଦିରର ପୂଜାରୀ ଆରପାରିକୁ ଚାଲି ଯାଇଛନ୍ତି । ଫଳରେ ଗତବର୍ଷ ଠାରୁ ଗାନ୍ଧୀ ଜୟନ୍ତୀରେ ଅଭିମନ୍ୟୁଙ୍କୁ ପ୍ରତିଟି ସଚେତନ ମଣିଷ ଝୁରୁଛି । ଅଭିମନ୍ୟୁଙ୍କ ଅବର୍ତ୍ତମାନରେ ଆଜି ଭତ୍ରାର ଗାନ୍ଧୀ ମନ୍ଦିର ସାରା ବିଶ୍ୱକୁ ଅହିଂସାର ବାର୍ତ୍ତା ଦେଇ ଆସୁଛି।






